Advertisement

ଫାଣ୍ଡିରୁ ଫେରାର ମାରିଲେ ଅଭିଯୁକ୍ତ

ସଇଁତଳା, ୨୬ା୧୧(ରାଖାଲ ପ୍ରସାଦ ଶତପଥି): ରବିବାର ପ୍ରାତଃ ଭ୍ରମଣରେ ଯାଉଥିବା ୩ଜଣ ଯୁବତୀଙ୍କ ମୋବାଇଲ ଫୋନ ଛଡାଇ ନେବା ଅଭିଯୋଗରେ ଲୋକେ ଜଣେ ଯୁବକଙ୍କୁ ଧରି ବଲାଙ୍ଗୀର ଜିଲା ଟିକ୍ରାପଡ଼ା ଫାଣ୍ଡି ପୋଲିସ ଜିମା ଦେଇଥିଲେ। ହେଲେ ଏହାର କିଛି ସମୟ ପରେ ସମ୍ପୃକ୍ତ ଅଭିଯୁକ୍ତ ଟିକ୍ରାପଡାର ବୁଲୁ ରାଜପଲିଆ ଫାଣ୍ଡିରୁ ଫେରାର ହୋଇଯାଇଥିବା ଖବର ପ୍ରଚାରିତ ହୋଇଥିଲା। ଏହା ଜଣାପଡିବା ପରେ ପୋଲିସ ଅବହେଳାରୁ ଅଭିଯୁକ୍ତ ଖସିଯାଇଥିବା ଅଭିଯୋଗ କରି ଶତାଧିକ ମହିଳା ଓ ଟିକ୍ରାପଡା ଗ୍ରାମବାସୀ ଫାଣ୍ଡି ଘେରାଉ କରିଥିଲେ।

ଫାଣ୍ଡି ଅଧିକାରୀ ଗୋପାଳ ମିଶ୍ର ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ମଧ୍ୟ ସେମାନେ ତାଙ୍କ କଥା ଶୁଣି ନ ଥିଲେ। ପରେ ଉପରିସ୍ଥ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ଖୁବ୍‌ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଥିଲେ। ଫେରାର ହେବାର ପ୍ରାୟ ୧୨ଘଣ୍ଟା ପରେ ସନ୍ଧ୍ୟା ୬ଟାରେ ପୋଲିସ ଟିକ୍ରାପଡାର ଏକ ପରିତ୍ୟକ୍ତ ଘରୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଟିକ୍ରାପଡା ଫାଣ୍ଡିରୁ ସଇଁତଳା ଥାନା ନିଆଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share