ପେଟ୍ରୋଲ, ଡ଼ିଜେଲ ଚୋରି କରି ଧରାପଡ଼ିଲେ ଅଭିଯୁକ୍ତ

ନାକଟିଦେଉଳ,୩୧ା୭(ବୈକୁଣ୍ଠ ନାଥ ସାହୁ): ନାକଟିଦେଉଳ ଥାନା ବାଟଗାଁ ଛକର ଏକ ଦୋକାନରୁ ଚୋରି ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ଟ୍ରକ୍‌, ଗୋଟିଏ ବାଇକ୍‌ ଓ ୩୦ଲିଟର ପେଟ୍ରୋଲ ଜବତ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଟଗାଁ ଗ୍ରାମର ଅମର ସାହୁ(୩୫) ଓ ବୁଲୁ ମୁଖି (୨୮)।

ମିଳିଥିବା ସୂଚନା ମୁତାବକ, ଜାମୁଯୋରୀ ପଞ୍ଚାୟତ ବାଗବର ଗ୍ରାମର ତ୍ରିନାଥ ଦେହୁରି ବାଟଗାଁ ଛକରେ ଏକ ଦୋକାନ ଘର ଭଡ଼ା ନେଇ ପେଟ୍ରୋଲ, ଡ଼ିଜେଲ ଆଦି ବିକ୍ରି କରିଆସୁଥିଲେ। ତେବେ ଗତ ୨୯ତାରିଖ ସନ୍ଧ୍ୟାରେ ତ୍ରିନାଥ ସବୁଦିନ ଭଳି ଦୋକାନ ବନ୍ଦ କରି ଘରକୁ ଚାଲିଯାଇଥିଲେ। ହେଲେ ୩୦ତାରିଖ ସକାଳେ ତାଙ୍କ ଦୋକାନ ତାଲା ଭଙ୍ଗାଯାଇ ୬୦ଲିଟର ଡ଼ିଜେଲ ଓ ୪୦ ଲିଟର ପେଟ୍ରୋଲ ଚୋରି ହୋଇଥିବା ଜାଣିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ବେଳେ ଅମର ନିଜ ଟ୍ରକ୍‌ରେ ଚୋରି ଡିଜେଲ ପକାଇଥିବା ଜାଣି ତାଙ୍କୁ କାବୁ କରିଥିଲା। ବୁଲୁ ଏଥିରେ ସହଯୋଗ କରିଥିବା ଜାଣି ପୋଲିସ ତାଙ୍କୁ ଗିରଫ କରିଥିଲା। ପଚାରାଉଚୁରା ପରେ ଉଭୟ ସତକଥା ପୋଲିସ ଆଗରେ ସ୍ବୀକାର କରିଥିଲେ। ପୋଲିସ ଏ ନେଇ ଏକ ମାମଲା (ନଂ.୧୨୦/୨୩) ରୁଜୁ କରିବା ସହ ସେମାନଙ୍କଠାରୁ ଜେଏଚ୍‌୦୫ବିଏସ୍‌-୯୭୯୫ନଂ. ଟ୍ରକ୍‌ , ଓଡ଼ି୧୯ଏସ-୯୮୮୦ ନମ୍ବର ବିଶିଷ୍ଟ ବାଇକ୍‌ ଜବତ କରିଥିଲା। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ ଆଇପିସି ଦଫା ୪୫୭, ୩୮୦, ୩୪ରେ ରେଢାଖୋଲ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କୃପା ବାଗ ପ୍ରକାଶ କରିଛନ୍ତି।

Share