ଗଞ୍ଜାମ,୨୯ା୧୧(ଡି.ଏନ.ଏ.): ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଧୀନ ପୋଇରାଶି ପଞ୍ଚାୟତ କଣ୍ଟିଆପଲ୍ଲୀ ଗ୍ରାମ୍ୟ ସଭାପତି କେ.ଗୋବିନ୍ଦ ରେଡ୍ଡୀ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଣ୍ଟିଆପଲ୍ଲୀ ଗ୍ରାମର କେ.ମୁରଲୀ ରେଡ୍ଡୀ, ତାଙ୍କ ପୁଅ କେ.ରବୀନ୍ଦ୍ର ରେଡ୍ଡୀ ଓ ରାମଚନ୍ଦ୍ରପୁର ଗ୍ରାମର ଏ. ପୁରୁଷୋତ୍ତମ ରେଡ୍ଡୀ ଓରଫ କାଳିଆ ।
ପୋଲିସ ସୂଚନା ମୁତାବକ, ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୁରଲୀଙ୍କୁ ଗ୍ରାମ୍ୟ ସଭାପତି ଏକ ସଭାରେ ଏକ ଜମିଜମା ମାମଲାକୁ ନେଇ ୪ଲକ୍ଷ ଟଙ୍କାର ଜରିମାନା କରିଥିଲେ। ଏପରିକି ବିଭିନ୍ନ ସମୟରେ ତାଙ୍କୁ ହଇରାଣ ହରକତ କରୁଥିବା ନେଇ ମୁରଲୀ ପୋଲିସକୁ କହିଥିଲେ। ଏନେଇ ସଭାପତି ଗୋବିନ୍ଦଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେ ଯୋଜନା କରିଥିଲେ। ଗୋବିନ୍ଦ ଚା’ ପିଇବାକୁ ଭୋରେ ଛୋଟାବସା ଛକକୁ ସାଇକେଲରେ ଯାଉଥିବା ବେଳେ ପୂର୍ବରୁ ଛକି ରହଥିବା ମୁରଲୀ ତାଙ୍କୁ ସାଇକେଲରୁ ଟାଣି ଆଣି ମୁଣ୍ଡ ପଛପଟକୁ ଠେଙ୍ଗାରେ ପିଟି ହତ୍ୟା କରିଥିବା ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି।