ରାଜ୍ୟ ସରକାରଙ୍କ ବିରୋଧରେ ଫେସ୍‌ବୁକ୍‌ରେ ଏମିତି ପୋଷ୍ଟ କରିବା ପଡ଼ିଲା ମହଙ୍ଗା: ଚାଲିଗଲା ଚାକିରି

କେରଳର ଜଣେ ବିମାନବନ୍ଦର କର୍ମଚାରୀଙ୍କୁ ସୋସିଆଲ ମିଡିଆରେ ରାଜ୍ୟ ସରକାରଙ୍କ ବିରୋଧରେ ଲେଖିବା ମହଙ୍ଗା ପଡ଼ିଛି। ଏ ନେଇ ତାଙ୍କ ଚାକିରି ଚାଲିଯାଇଛି। କନ୍ନୁର ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡର ଜଣେ କର୍ମଚାରୀ କେରଳ ସରକାରଙ୍କ ବିରୋଧରେ ଫେସବୁକରେ ଏକ ପୋଷ୍ଟ ଲେଖିଥିଲେ, ଯାହା ପରେ ତାଙ୍କୁ ସେବାରୁ ବରଖାସ୍ତ କରାଯାଇଥିବା ଜଣାପଡ଼ିଛି।
କେ.ଏଲ. ରମେଶ ନାମକ ଏହି କର୍ମଚାରୀ ଜଣକ ବିମାନବନ୍ଦରରେ ଅଗ୍ନିଶମ ଏବଂ ରେସ୍‌କ୍ୟୁ ୱିଙ୍ଗ୍‌ର ଅଧୀକ୍ଷକ ଭାବରେ କାର୍ଯ୍ୟ କରୁଥିଲେ। ସେ ତାଙ୍କ ପୋଷ୍ଟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କୁ ସମାଲୋଚନା କରିଥିଲେ। ପରେ ବିମାନବନ୍ଦର ପରିଚାଳନା ନିର୍ଦ୍ଦେଶକ ଭି. ଥୁଲାସିଦାସ ରମେଶଙ୍କୁ ପଦବୀରୁ ବହିଷ୍କାର କରିଥିଲେ।
ଏହି ନିଷ୍ପତ୍ତି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ରମେଶ କହିଛନ୍ତି। ରମେଶଙ୍କୁ ତାଙ୍କ ଚାକିରିରୁ ହଟାଇବା ନିଷ୍ପତ୍ତି ବିରୋଧରେ ବିମାନବନ୍ଦରର ଏମ୍‌ଡିଙ୍କୁ ସେ ମଧ୍ୟ ଚିଠି ଲେଖିଛନ୍ତି।
ସୂଚନାଯୋଗ୍ୟ, ରମେଶ ତାଙ୍କ ଫେସବୁକ୍‌ ପୋଷ୍ଟରେ ପଦ୍ମନାଭସ୍ବାମୀ ମନ୍ଦିର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଥିବାବେଳେ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ।

Share