ଏସିଏଫ୍‌ ସୌମ୍ୟ ମୃତ୍ୟୁ ମାମଲା କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର

ଭୁବନେଶ୍ୱର,୧୪।୮(ବ୍ୟୁରୋ): ପାରଳାଖେମୁଣ୍ଡି ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ମାସେ ପୁରିଛି। ହେଲେ ଏବେ ବି ତାଙ୍କ ମୃତ୍ୟୁକୁ ନେଇ ଲାଗିରହିଛି ସସ୍‌ପେନ୍ସ। ସୌମ୍ୟଙ୍କ ମୃତ୍ୟୁ ମାମଲାର ତଦନ୍ତ କିଛି ଆଗକୁ ବଢ଼ିପାରି ନ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ଇତିମଧ୍ୟରେ ଶନିବାର ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ଏକ ଭିନ୍ନ ମୋଡ଼ ନେଇଛି। ଏହି ମାମଲାକୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ଡିଜିପିଙ୍କ ନିର୍ଦ୍ଦେଶରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ୍‌ ଗଠନ ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ, ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ ବିଭିନ୍ନ ସମୟରେ ତାଙ୍କ ପରିବାରବର୍ଗ ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ। ଶେଷରେ ସୌମ୍ୟଙ୍କ ପରିବାରଲୋକଙ୍କ ଗୁହାରି ଶୁଣିଛନ୍ତି ସରକାର।

Share