ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲା: ବଲାଙ୍ଗୀରରେ ଗଜପତି ପୋଲିସ ଟିମ୍‌ର ତଦନ୍ତ ଆରମ୍ଭ

ବଲାଙ୍ଗୀର ଅଫିସ,୨୫ା୭: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବାକୁ ଆସିଥିବା ଗଜପତି ପୋଲିସର ଏକ ଟିମ୍‌ ରବିବାର ସକାଳେ ବଲାଙ୍ଗୀର ଟାଉନ ଥାନା ଓ ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଆସି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରର ଉପ-ନିର୍ଦ୍ଦେଶକ ହେମନ୍ତ କୁମାର ପ୍ରଧାନଙ୍କ ସହ ପାରଳାଖେମୁଣ୍ଡି ଆଇଆଇସି ବିବେକାନନ୍ଦ ସ୍ବାଇଁ ଓ ୪ ଜଣିଆ ଟିମ୍‌ ଆଲୋଚନା କରିଛନ୍ତି। ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ମୃତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଦ୍ବିତୀୟ ବର୍ଷ ଛାତ୍ରୀ ଭାବେ ତାଲିମ ଗ୍ରହଣ କରୁଥିଲେ।