କଟକ ଅଫିସ, ୨୭।୭: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣାକୁ ୧୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ଯାଇଥିବା ବେଳେ ଏଯାଏ ପୋଲିସ କାହାକୁ ଗିରଫ କରି ନାହିଁ। ତେବେ ସୌମ୍ୟଙ୍କ ମୃତ୍ୟୁ ତଦନ୍ତ ପ୍ରକ୍ରିୟାକୁ ନେଇ ହାଇକୋର୍ଟରେ ମାମଲା ପହଞ୍ଚିଛି। ସୌମ୍ୟଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ହାଇକୋର୍ଟରେ ଆବେଦନ କରିଛି । କେନ୍ଦ୍ର ଗୃହ ସଚିବ ଓ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରି ବିକାଶ ପରିଷଦ ଆବେଦନ କରିଛି। ଏହାସହ ରାଜ୍ୟ ଗୃହ ସଚିବ, ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଗଜପତି ଜିଲା ଏସ୍ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।