Categories: ଫୁରସତ

ବିଜ୍ଞାନରେ କୃତିତ୍ୱ

ଫେବୃୟାରୀ ୧୧, ‘ଅନ୍ତର୍ଜାତୀୟ ମହିଳା ଓ ବାଳିକା ବିଜ୍ଞାନ ଦିବସ’ ସବୁଠି ପାଳିତ ହେଉଛି। ଦିନ ଥିଲା ମହିଳା ଓ ବାଳିକାମାନେ ଘରର ଚାରିକାନ୍ଥ ଭିତରେ ସୀମାବଦ୍ଧ ହୋଇ ରହୁଥିଲେ। ହେଲେ ପରିବର୍ତ୍ତିତ ସମୟ ଅନୁଯାୟୀ ଏମାନେ ପୁରୁଷଙ୍କ ସହ ସମତାଳ ଦେଇ ଆଗକୁ ଚାଲିଛନ୍ତି। ବିଭିନ୍ନ କ୍ଷେତ୍ରରେ ନିଜକୁ ଅନନ୍ୟ ବୋଲି ପ୍ରମାଣିତ କରୁଛନ୍ତି। ପୁଣି ବିଜ୍ଞାନ କ୍ଷେତ୍ରରେ ଏମାନଙ୍କର ଅବଦାନ ମଧ୍ୟ କିଛି କମ୍‌ ନୁହେଁ। ମହାକାଶରେ ପାଦ ଥାପି ନିଜ ପରାକାଷ୍ଠାକୁ ପ୍ରତିପାଦିତ କରିଛନ୍ତି। ତେବେ ବିଜ୍ଞାନ କ୍ଷେତ୍ରରେ ଆହୁରି ଦକ୍ଷତା ହାସଲ ଲାଗି ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଆସୁଅଛି। ମିଳିତ ଜାତିସଂଘର ସାଧାରଣ ପରିଷଦ ୨୦୧୫ ଡିସେମ୍ବର ୨୨ରେ ଏ ନେଇ ଏକ ରିଜଲ୍ୟୁଶନ ପାସ୍‌ କରିଥିଲା। ୨୦୧୬ ମସିହାଠାରୁ ଏହି ଦିବସ ପାଳିତ ହୋଇଆସୁଛି। ଚଳିତ ବର୍ଷ ଉକ୍ତ ଦିବସର ସ୍ଲୋଗାନ ରହିଛି ‘ଇନୋଭେଟିଭ୍‌, ଡେମନଷ୍ଟ୍ରେଟିଭ, ଏଲିଭେଟ୍‌, ଆଡଭାନ୍ସ, ସଷ୍ଟେନ୍‌’। ବିଶେଷଭାବରେ ମହିଳାମାନଙ୍କୁ ବିଜ୍ଞାନ କ୍ଷେତ୍ର ପ୍ରତି ଅଧିକ ଆକର୍ଷିତ କରାଇବାକୁ ଏହି ଦିବସରେ ଗୁରୁତ୍ୱ ଦିଆଯାଇଥାଏ। ତା’ସହ ସମାଜରେ ସେମାନେ ଯେପରି ଅବହେଳିତ ନ ହୋଇ ସବୁ ପ୍ରକାର ସୁବିଧା ସୁଯୋଗ ହାସଲ କରିପାରନ୍ତି ସେଥି ନେଇ ମଧ୍ୟ ସଚେତନ ରହିବା ଆବଶ୍ୟକ।
ବିଜ୍ଞାନ କ୍ଷେତ୍ରକୁ ମହିଳାମାନେ ଅଧିକ ଆକର୍ଷିତ ହେବା ଆଲୋକବର୍ତ୍ତିକା ସାଜିଥିଲେ ମେରି କ୍ୟୁରୀ। ପ୍ରଗାଢ଼ ନିଷ୍ଠା ଏବଂ ଅଧ୍ୟବସାୟ ବଳରେ ସେ ଦୁଇ ଥର ନୋବେଲ ପୁରସ୍କାର ହାସଲ କରିବାରେ ସକ୍ଷମ ହୋଇଥିଲେ। ପୋଲାଣ୍ଡରେ ଜନ୍ମିିତା ଏବଂ ପରବର୍ତ୍ତୀ ସମୟରେ ଫ୍ରାନ୍ସରେ ନିଜ ଗବେଷଣା ଜୀବନ ବିତାଇଥିବା ମେରି ୧୯୦୩ରେ ପ୍ରଥମେ ପଦାର୍ଥ ବିଜ୍ଞାନ ଏବଂ ୧୯୧୧ରେ ପୁଣି ଥରେ ରସାୟନ ବିଜ୍ଞାନ କ୍ଷେତ୍ରରେ ନିଜର କୃତିତ୍ୱ ପ୍ରଦିପାତିତ କରି ଏହି ସମ୍ମାନଜନକ ପୁରସ୍କାର ପାଇଥିଲେ। ଏଭଳି ସମ୍ମାନ ହାସଲ କରିବାରେ ସେ ଥିଲେ ପ୍ରଥମ ମହିଳା। ମେରିଙ୍କ ବ୍ୟତୀତ ତାଙ୍କ ଝିଅ ଆରିନ୍‌ ମଧ୍ୟ ୧୯୩୫ରେ ରସାୟନ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ। ମେରିଙ୍କ ରେଡିଏସନ ଉଦ୍ଭାବନ ଏବେ କ୍ୟାନ୍‌ସର ଚିକିତ୍ସାରେ ବିଶେଷ ଭୂମିକା ଗ୍ରହଣ କରିଛି।
ମେରି କ୍ୟୁରୀ ନୁହନ୍ତି ଆହୁରି ଅନେକ ମହିଳା ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ଉଦ୍ଭାବନ କରି ଚର୍ଚ୍ଚିତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି-ରୋସାଲିନ୍‌ ଫ୍ରାଙ୍କଲିନ୍‌ (ଡିଏନ୍‌ଏ ଷ୍ଟ୍ରକଚର), ଡୋରୋଥି ହଡଗକିନ୍‌ (ଇନ୍‌ସୁଲିନ୍‌ ଷ୍ଟ୍ରକଚର), କାରୋଲିନ୍‌ ହରଶ୍ଚେଲ (ଧୂମକେତୁ ଆବିଷ୍କାର କରିବାରେ ପ୍ରଥମ ମହିଳା), ସିସିଲା ପେନି ଗୋପୋସ୍କିଚିନ୍‌ (ନକ୍ଷତ୍ରର କମ୍ପୋଜିଶନ), ଇନ୍‌ଗି ଲେହମନ (ପୃଥିବୀର ଅଭ୍ୟନ୍ତର ଭାଗର କମ୍ପୋଜିଶନ) ଏବଂ ମେରି ଆନିଙ୍ଗ (ଡାଏନୋସରର ପୂର୍ଣ୍ଣାଙ୍ଗ ଜୀବାଶ୍ମ) ଅନ୍ୟତମ।

Share