Categories: ଜାତୀୟ

ବିବାହିତା ମହିଳାଙ୍କ ଉପରେ ଏସିଡ ମାଡ଼: ମୁହଁର ୬୦ ପ୍ରତିଶତ ପ୍ରଭାବିତ…

ହାଇଦ୍ରାବାଦ,୧୪।୬ : ଆନ୍ଧ୍ରପ୍ରଦେଶରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଅଜ୍ଞାତ ବାଇକ ଆରୋହୀମାନେ ରାଜ୍ୟର ଏଲୁରୁର ଜଣେ ବିବାହିତା ମହିଳାଙ୍କ ଉପରେ ଏସିଡ ଫିଙ୍ଗିଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ଟିମ ଗଠନ କରାଯାଇଛି ବୋଲି ଏଲୁରୁ ପୋଲିସ କହିଛି।

ବୁଧବାର ଏଲୁରୁ ଏସପି, ଡି ମେରି ପରସନ୍ତୀ କହିଛନ୍ତି ପୀଡିତା ମଙ୍ଗଳବାର ରାତିରେ ଅଫିସରୁ ଘରକୁ ଫେରୁଥିବା ସମୟରେ ଏଭଳି ଘଟିଥିଲା। ସେ ଘର ନିକଟରେ ପହଞ୍ଚିଥିବାବେଳେ କିଛି ବାଇକ ଆରୋହୀ ଆସି ପୀଡିତାଙ୍କ ମୁହଁରେ ଏସିଡ ଫିଙ୍ଗିଥିଲେ। ସେ ଚିତ୍କାର କରି ଘରକୁ ଦୌଡ଼ି ପଳାଇଥିଲେ। ତାଙ୍କର ଅବସ୍ଥା ଦେଖି ସମ୍ପର୍କୀୟମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଥିଲେ।

ସେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ। ପୀଡିତାଙ୍କ ଡାହାଣ ଆଖିରେ ଏସିଡ ପଡ଼ିଥିଲା। ଏହି କାରଣରୁ ତାଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ବିଜୟୱାଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପୀଡିତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ବିଜୟୱାଡା ଡାକ୍ତରଖାନାର ଡାକ୍ତର କହିଛନ୍ତି ତାଙ୍କ ବାମ ଆଖି ବର୍ତ୍ତମାନ ବିପଦ ମୁକ୍ତ ରହିଛି। କିନ୍ତୁ ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ରହିଛି। ଡାହାଣ ଆଖି ୬୦ ପ୍ରତିଶତ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି । ତେବେ ପୀଡିତାଙ୍କ ଅନ୍ୟ ଅଂଶ ସୁରକ୍ଷିତ ଅଛି। ଉନ୍ନତ ଚିକିତ୍ସା ଏବଂ ଶୀଘ୍ର ଆରୋଗ୍ୟ ପାଇଁ ପୋଲିସ ତାଙ୍କୁ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲରେ ଭର୍ତ୍ତି କରିବାକୁ ଚାହୁଁଛି।

ଏସପି ପରସନ୍ତୀ କହିଛନ୍ତି ୬ ଟି ପୋଲିସ ଟିମ ଗଠନ କରାଯାଇଛି। ଅଭିଯୁକ୍ତଙ୍କୁ ଖୋଜା ଚାଲିଛି। ପୀଡିତା କିମ୍ବା ତାଙ୍କ ପରିବାର କାହାକୁ ସନ୍ଦେହ କରନ୍ତି ନାହିଁ। ଟିମ୍‌ ସିସିଟିଭି ଫୁଟେଜ ସ୍କାନ କରୁଛନ୍ତି। ପୀଡିତାଙ୍କ ଅଭିଯୋଗ ଉପରେ ପୋଲିସ ଦିଶା ଆକ୍ଟ, ଆଇପିସି ଧାରା ୩୦୭, ୩୨୬(ଏ) ଏବଂ ଆଇପିସିର ୩୪ ଅନୁଯାୟୀ ମାମଲା ରୁଜୁ କରିଛି।

Share