Categories: ଜାତୀୟ

ମହିଳାଙ୍କ ଉପରେ ଏସିଡ ଆକ୍ରମଣ: ଦେଶର ଏହି ସହରରେ ସର୍ବାଧିକ…

ନୂଆଦିଲ୍ଲୀ,୧୧।୧୨ : ମହିଳାମାନଙ୍କ ଉପରେ ଏସିଡ ଆକ୍ରମଣର ଅଧିକାଂଶ ଘଟଣା ବେଙ୍ଗାଲୁରୁରେ ଘଟିଛି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଗତ ବର୍ଷ ଦେଶରେ ମହିଳାଙ୍କ ଉପରେ ଏସିଡ ଆକ୍ରମଣର ସର୍ବାଧିକ ମାମଲା ପଞ୍ଜିକୃତ ହୋଇଥିଲା।

ରିପୋର୍ଟ ଅନୁଯାୟୀ, ଏନସିଆରବି ତଥ୍ୟରେ ତାଲିକାଭୁକ୍ତ ୧୯ ମହାନଗର ମଧ୍ୟରୁ ବେଙ୍ଗାଲୁରୁରେ ଗତ ବର୍ଷ ୮ ଜଣ ମହିଳା ଏସିଡ ଆକ୍ରମଣର ଶିକାର ହୋଇଥିଲେ। ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଦେଶର ଜାତୀୟ ରାଜଧାନୀ ଦିଲ୍ଲୀ ଅଛି, ଯେଉଁଠାରେ ୨୦୨୨ ମସିହାରେ ଏପରି ୭ଟି ମାମଲା ଘଟିଥିଲା। ଏହା ପରେ ଅହମଦାବାଦ ତୃତୀୟ ସ୍ଥାନରେ ରହିଛି ଯେଉଁଠାରେ ଏହିପରି ୫ଟି ମାମଲା ପଞ୍ଜିକୃତ ହୋଇଥିଲା। ଗତ ବର୍ଷ ବେଙ୍ଗାଲୁରୁରେ ଛାତି ଥରାଇ ଦେଇଥିବା ଏକ ପ୍ରମୁଖ ଏସିଡ ଆକ୍ରମଣ ମାମଲା ହେଉଛି ୨୪ ବର୍ଷ ବୟସ୍କା ଏମକମ ଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ। ଏପ୍ରିଲ ୨୮ ରେ ଛାତ୍ରୀ ଜଣକ ନିଜ ଅଫିସକୁ ଯିବାବେଳେ ତାଙ୍କୁ ଆକ୍ରମଣ କରାଯାଇଥିଲା। ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ, ତେବେ ଯୁବତୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଅଭିଯୁକ୍ତ ଜଣକ ତାଙ୍କୁ ବହୁ ବର୍ଷ ଧରି ତାଙ୍କ ପିଛା କରୁଥିଲେ। ପରେ ଅଭିଯୁକ୍ତଙ୍କୁ ତିରୁବନନାମାଲାଇ ଆଶ୍ରମରୁ ମେ ମାସରେ ଧରାଯାଇ୍‌ଥିଲା। ସେ ଜଣେ ସାଧୁଙ୍କ ବେଶରେ ଲୁଚି ରହିଥିଲେ।

ଅନ୍ୟ ମହାନଗର ମଧ୍ୟରେ କୋଲକାତାରେ ଏଭଳି ୨ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ, ଗାଜିଆବାଦରେ ୨, କାନପୁରରେ ୨, ଚେନ୍ନାଥରେ ୧, ଇନ୍ଦୋରରେ ୧, ମୁମ୍ବାଇରେ ୧ ଏବଂ ନାଗପୁରରେ ୧ ମାମଲା ଘଟିଥିଲା।

Share