Categories: ଜାତୀୟ

ଟିଏମସି ପ୍ରାର୍ଥୀ ତାଲିକାରେ ଅଭିନେତା ଆଉ କ୍ରିକେଟର, ଜାଣନ୍ତୁ କିଏ କେଉଁଠୁ ପାଇଲା ଟିକେଟ୍‌

କୋଲକତା,୧୦।୩: ଲୋକ ସଭା ନିର୍ବାଚନକୁ ନେଇ ଚାତୀୟ ରାଜନୀତି ସରଗରମ ରହିଛି। କିଛିଦିନ ପୂର୍ବରୁ ଭାଜପା-କଂଗ୍ରେସ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ରବିବାର ଅର୍ଥାତ୍‌ ଆଜି ଟିଏମସି ପ୍ରାର୍ଥୀ ତାଲିକା ଜାରି କରିଛି। ଇଣ୍ଡିଆ ମେଣ୍ଟ ସହ କୌଣସି ସିଟ୍‌ ଭାଗବଣ୍ଟା ହେବନାହିଁ ବୋଲି ଘୋଷଣା କରିବା ପରେ ମମତା ବାନାର୍ଜୀ ତାଙ୍କର ପ୍ରାର୍ଥୀଙ୍କ ନାମ ଜାରି କରିଛନ୍ତି। କେବଳ ସେତିକି ନୁହେଁ ଟିଏମସି ଅଧୀର ଚୌଧୁରୀଙ୍କ ବିରୋଧରେ ମଧ୍ୟ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ତେବେ ତାଲିକାରେ ବହୁ କ୍ରିକେଟର ଓ ଫିଲ୍ମଷ୍ଟାର ମଧ୍ୟ ରହିଛନ୍ତି। ଆସନ୍ତୁ ଜାଣିବା…

ନିର୍ବାଚନ ପାଇଁ ଟିଏମସି ମୋଟ ୪୨ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କୁଚବିହାର ଲୋକସଭା ସିଟ୍‌ରୁ ଜଗଦୀଶ ଚନ୍ଦ୍ର ବସୁନିଆଙ୍କୁ ଟିକେଟ୍‌ ମିଳିଛି। ସେହିପରି ବହରାମପୁରରୁ ଦିଗଗ୍‌ଜ କ୍ରିକେଟର ୟୁସୁଫ ପଠାନଙ୍କୁ ଟିକେଟ୍‌ ମିଳିଛି। ୟୁସୁଫ, ଅଧୀର ଚୌଧୁରୀଙ୍କ ବିରୋଧରେ ଲଢେଇ କରିବାକୁ ଯାଉଛନ୍ତି।

ତେବେ ଏହି ନିର୍ବାଚନରେ ସବୁଠାରୁ ଚର୍ଚ୍ଚିତ ଆସନ ହେଉଛି ସନ୍ଦେଶଖାଲି। ଗତ ୩ମାସ ଧରି ସନ୍ଦେଶଖାଲି ସବୁ ଖବରର ହଟସ୍ପଟ ରହି ଆସିଛି। ତେବେ ସନ୍ଦେଶଖାଲି, ବଶେରହାଟ ଇଲାକାରୁ ଆସୁଛି। ଯେଉଁଠୁ ଅଭିନେତ୍ରୀ ନୁସରତ ଜାହାଁ ଏମପି ଥିଲେ। ତେବେ ଟିଏମସି ତାଙ୍କର ଟିକେଟ୍‌ କାଟି ହାଜି ନୁରଲ ଇସଲାମଙ୍କୁ ଟିକେଟ୍‌ ଦେଇଛି। ତେବେ ବଶେରହାଟ ଟିକେଟ୍‌ ବଦଳିବା ଦ୍ୱାରା କ’ଣ ଭୋଟ ଟିଏମସିକୁ ଯିବ ତାହା ଦେଖିବା ବାକି ରହିଲା।

ୟୁସୁଫ ପଠାନଙ୍କୁ ମଇଦାନକୁ ଓହ୍ଲାଇବା ସହ TMC ଆଉ ଜଣେ କ୍ରିକେଟର କୀର୍ତ୍ତି ଆଜାଦଙ୍କୁ ଦୁର୍ଗାପୁରରୁ ଟିକେଟ୍‌ ଦେଇଛି। ଏହି ସିଟ୍‌ରୁ ଭାଜପାର ଏସଏସ ଆହଲୁବଲିଆ ଏମପି ଅଛନ୍ତି। ତେବେ ଭାଜପା ଓ କଂଗ୍ରେସ ଏପର୍ଯ୍ୟନ୍ତ ଏହି ସିଟ୍‌ରୁ ପ୍ରାର୍ଥୀ ଫାଇନାଲ କରି ନାହାନ୍ତି।

ଲୋକପ୍ରିୟ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଟିଏମସି ପୁଣି ଭରସା କରିଛି। ତାଙ୍କୁ ମମତା ଆସନସୋଲରୁ ଟିକେଟ୍‌ ଦେଇଛନ୍ତି। ଆସନସୋଲ ସିଟ୍‌ ଚର୍ଚ୍ଚାରେ ରହି ଆସିଛି କାରଣ ଏହି ସିଟ୍‌ରୁ ଜଣେ ଭାଜପା ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିବା ପରେ ସେ ୨୪ଘଣ୍ଟା ମଧ୍ୟରେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ।

Share