୫ ପୋଷ୍ଟ ମାଷ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗୀର, ୧୧ା୭ (ବୀରେନ୍ଦ୍ର କୁମାର ଝାଙ୍କର): ଜାଲ ସାର୍ଟିଫିକେଟ ମାମଲାର ତଦନ୍ତ କରୁଥିବା କ୍ରାଇମ୍‌ବ୍ରାଞ୍ଚ ଟିମ୍‌ର ତଦନ୍ତରେ ଶିଥିଳତାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଙ୍କି ମାରୁଛି। କ୍ରାଇମ୍‌ବାଞ୍ଚ ଟିମ୍‌ ବଲାଙ୍ଗୀର ଆସି ତଦନ୍ତ କରୁଥିବାବେଳେ ଏହି ମାମଲାଟି ଅତ୍ୟନ୍ତ ସଙ୍ଗୀନ, ବ୍ୟାପକ ଏବଂ ସମ୍ବେଦନଶୀଳ ବୋଲି କହିଥିଲେ। ଜାଲ୍‌ ସାର୍ଟିଫିକେଟ କାରବାରର ଖୋଳତାଡ କରିବାକୁ ହେଲେ ଦୀର୍ଘ ସମୟ ଲାଗିବ ଏବଂ ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ସନ୍ଦେହ କରିଥିଲେ। ବଲାଙ୍ଗୀର ପ୍ରଧାନ ଡାକଘରରୁ ଧରାପଡିଥିବା ଜାଲ୍‌ ସାର୍ଟିଫିକେଟ ମାମଲା ରାଜ୍ୟ ତଥା ସମଗ୍ର ଦେଶରେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା। ବଲାଙ୍ଗୀର ଡାକ ମଣ୍ଡଳର ଡାକ ସେବକ ଏବଂ ପୋଷ୍ଟ ମାଷ୍ଟର ପଦବୀରେ ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇବା ଚେଷ୍ଟା କରିଥିବା ସନ୍ଦେହ କରି ତତ୍କାଳୀନ ବଲାଙ୍ଗୀର ଡାକ ମଣ୍ଡଳ ଅଧୀକ୍ଷକ ସ୍ଥାନୀୟ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତଦନ୍ତ ପରେ ୩୮ ଜଣ ପ୍ରାର୍ଥୀ ଜାଲ୍‌ ସାର୍ଟିଫିକେଟ ଦେଇଥିବା ସନ୍ଦେହ ହୋଇଥିଲା। ଏହାପରେ ତଦନ୍ତକୁ ତ୍ୱରାନ୍ବିତ କରାଯିବାରୁ ସ୍ଥାନୀୟ ରିଲାଏନ୍ସ କୋଚିଂ ସେଣ୍ଟର ଜାଲ ସାର୍ଟିଫିକେଟର ଆଡ୍ଡା ସ୍ଥଳୀ ଚିହ୍ନଟ କରି ପୋଲିସ ଚଢ଼ାଉ କରିଥିଲା। ସେଠାରୁ ୫ ହଜାର ଜାଲ ସାର୍ଟିଫିକେଟ ଜବତ କରାଯାଇଥିବା ବଲାଙ୍ଗୀର ଏସ୍‌ପି ସୂଚନା ଦେଇଥିଲେ। ଏହାପରେ ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା। ଏତିକିବେଳେ ଭୟଭୀତ ହୋଇ ଜିଲାର ବିଭିନ୍ନ ଡାକଘରେ ପୋଷ୍ଟ ମାଷ୍ଟର ଥିବା ୫ ଜଣ ଗିରଫ ଭୟରେ ଫେରାର ହୋଇଯାଇଥିଲେ। ସେହି ୫ ଜଣ ପୋଷ୍ଟ ମାଷ୍ଟରଙ୍କୁ ପ୍ରଥମେ ନିଲମ୍ବିତ କରାଯାଇଥିଲା ଓ ପରେ ଚାକିରିରୁ ବହିଷ୍କାର କରାଯାଇଥିବା ଜଣାପଡିଛି। ତେବେ ଏନେଇ ଡାକ ବିଭାଗ ଅଧୀକ୍ଷକଙ୍କ ମତାମତ ମିଳିନାହିଁ। ଜିଲାର ଜାଲ ସାର୍ଟିଫିକେଟ ମାମଲାରେ ୧୯ ଜଣ ଯୁବକଙ୍କୁ ଅଭିଯୁକ୍ତ ଦର୍ଶାଇ ପୋଲିସ ଗିରଫ କରିଥିଲା। ମିଳିଥିବା ସୂଚନା ମୁତାବକ ଏବେ ଯୋଗ୍ୟ ୩୮ ପ୍ରାର୍ଥୀ ଡାକ ମଣ୍ଡଳର ବିଧିବଦ୍ଧ ଭାବେ ଚାକିରି ପାଇଁ ମନୋନୀତ ହୋଇଥିବା ଜଣାପଡିଛି। ୧୯ ଜଣଙ୍କ ଗିରଫ ପରେ ୩୮ ଜଣ ଯୋଗ୍ୟ ପ୍ରାର୍ଥୀଙ୍କୁ ଚାକିରି ମିଳିଛି ଓ ଏହା ଏକ ଉଚିତ୍‌ ପଦକ୍ଷେପ ବୋଲି ଚାକିରୀ ପାଇଥିବା କେତେକ ଯୁବତୀ, ଯୁବକ ସୂଚନା ଦେଇଛନ୍ତି।