ପାଟ୍ରୋଲିଂ ଇନ୍‌ଚାର୍ଜଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର,୩ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ସକାଳେ ଘଟଗାଁ ଥାନା ବାଲିଯୋଡ଼ି ଗ୍ରାମ ନିକଟରେ ଏନ୍‌ଏନ୍‌ ୨୦ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟଣାରେ ମୋଟରଯାନ ବିଭାଗ ପକ୍ଷରୁ ଏତଲା ପରେ ଘଟଗାଁ ଥାନା ପୋଲିସ ଏନ୍‌ଏଚ୍‌ଏଆଇର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏହି ଘଟଣାରେ ପାଟ୍ରୋଲିଂ ପାଇଁ ଏନ୍‌ଏଚ୍‌ଆଇ ସହିତ ଚୁକ୍ତି କରିଥିବା ଘରୋଇ ସଂସ୍ଥାର ଇନ୍‌ଚାର୍ଜ ସମେତ ଦୁଇ ଜଣଙ୍କୁ ଡକାଇ ପଚରାଉଚରା କରିଥିଲା। ଏହି ଘଟଣାରେ ଏନ୍‌ଏଚ୍‌ଏଆଇ ବିଭାଗର ସୁରକ୍ଷାରେ ଖିଲାପ ଯୋଗୁ ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଥିଲା। ଥାନା ପକ୍ଷରୁ ପାଟ୍ରୋଲିଂ ଇନ୍‌ଚାର୍ଜଙ୍କୁ ନୋଟିସ କରାଯାଇ ତଦନ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ କୁହାଯାଇଛି। ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘଟଗାଁ ଏସ୍‌ଡିପିଓ ସୁଦର୍ଶନ ଗାଙ୍ଗାଇ କହିଛନ୍ତି।
ଏନ୍‌ଏଚ୍‌ରେ ବ୍ରେକ୍‌ ଡାଉନ ବା ଦୁର୍ଘଟଣା ଗାଡ଼ିକୁ ସାଇଡ୍‌ କରିବା ଦାୟିତ୍ୱ ଏନ୍‌ଏଚ୍‌ଏଆଇର ଦାୟିତ୍ୱ। ଏଣୁ ଏହି କାମ କରିବାକୁ ଏନ୍‌ଏଚ୍‌ଏଆଇ ଏକ ଘରୋଇ ସଂସ୍ଥା ସହିତ ଚୁକ୍ତି କରିଛି। ତେବେ ଉପଯୁକ୍ତ ତଦାରଖ ଅଭାବରୁ ନିୟମିତ ପାଟ୍ରୋଲିଂ ହେଉ ନ ଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି। ଉକ୍ତ ଦିନ ଏକ କୋଇଲା ବୋଝେଇ ଟ୍ରକ୍‌ ରାସ୍ତାରେ ବ୍ରେକ୍‌ଡାଉନ ଥିଲା। ପଛପଟୁ ଯାତ୍ରୀବାହୀ ଯାନ ଗଞ୍ଜାମରୁ ଘଟଗାଁ ଆସୁଥିବା ବେଳେ ପଛରୁ ପିଟି ଦେଇଥିଲା। ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ଏହି ଘଟଣାରେ ଆତ୍ମସମର୍ପଣ କରିଥିବା ଭ୍ୟାନ୍‌ ଚାଳକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଏନ୍‌ଏଚ୍‌ଆଇ ବିଭାଗ ମୁଖ୍ୟଙ୍କ ବିରୋଧରେ କେସ୍‌ କରି ପୋଲିସ ତଦନ୍ତ କରୁଛି।