ନିଜସ୍ବ ପାର୍କିଂ ବ୍ୟବସ୍ଥା ନ କଲେ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୮ା୧୦(ବ୍ୟୁରୋ): ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ କଡରେ ଅନେକ ଶିଳ୍ପାନୁଷ୍ଠାନ ଗଢିଉଠିଛି। ଏହି କମ୍ପାନୀ ସମ୍ମୁଖ ରାସ୍ତା ଉପରେ ପ୍ରତିଦିନ ହଜାର ସଂଖ୍ୟାରେ ଟ୍ରକ ଛିଡା ହୋଇ ରହୁଛି। ଏହାକୁ ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ସମ୍ବଲପୁର ଆଞ୍ଚଳିକ ଶାଖା ପକ୍ଷରୁ ଉକ୍ତ କମ୍ପାନୀମାନଙ୍କୁ ନୋଟିସ କରି ତାଗିଦ କରାଯାଇଛି। ପ୍ରତ୍ୟେକ କମ୍ପାନୀ ନିଜସ୍ବ ପାର୍କିଂ ବ୍ୟବସ୍ଥା କରନ୍ତୁ ନ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍‌ରେ ଉଲ୍ଲେଖ କରାଯାଇଛି।
ଗାଡିଗୁଡିକ ରାସ୍ତା ଉପରେ ଛିଡା ହୋଇ ରହୁଥିବାରୁ ଅନ୍ୟ ଯାନବାହନ ଓ ଯାତ୍ରୀମାନଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁ ପ୍ରଦୂଷଣ ମଧ୍ୟ ସୃଷ୍ଟି ହେଉଛି। ତେଣୁ ଶୀଘ୍ର ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଠେଲକୋଲିସ୍ଥିତ ଜେଏସ୍‌ଡବ୍ଳ୍ୟୁ ଭୂଷଣ ପାୱାର ଆଣ୍ଡ ଷ୍ଟିଲ, ଗୁରୁପାଲିସ୍ଥିତ ବିରାଜ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ, ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନା, ପଣ୍ଡଲୋଇସ୍ଥିତ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି, ବମାଲୋଇସ୍ଥିତ ଆରିୟନ ଇଷ୍ପାତ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ, ଲପଙ୍ଗାରେ ମା’ ସମଲେଶ୍ୱରୀ ଇଣ୍ଟଷ୍ଟ୍ରି ପ୍ରାଇଭେଟ ଲିମିଟେଡ ରହିଛି। ଚିଠି ନମ୍ବର ୩୫୭୪/୨୨ରେ ଏହସବୁ କମ୍ପାନୀକୁ ନୋଟିସ କରାଯାଇଛି। ଏହାର ନକଲ ଜିଲାପାଳ ସମ୍ବଲପୁର, ପୂର୍ତ୍ତ ବିଭାଗ ଓ ରାସ୍ତା ନିର୍ମାଣକାରୀ ସଂସ୍ଥାକୁ ଦିଆଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୨୭ରେ ଏହି ରାସ୍ତା ପ୍ରାୟ ୪ ଘଣ୍ଟା ଧରି ବନ୍ଦ ହୋଇ ରହିଥିଲା। ଏଥିଯୋଗୁ ଅନ୍ୟଯାତ୍ରୀ ଓ ହଜାର ସଂଖ୍ୟାରେ ଗାଡି ଅଟକି ରହିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ପୋଲିସ ଟ୍ରାଫିକ୍‌ ସମସ୍ୟାକୁ ନେଇ ନାକେଦମ ହୋଇପଡିଥିଲା। ୪୦ ଗୋଟି ଟ୍ରକ୍‌ଠାରୁ ଜରିମାନା ମଧ୍ୟ ଆଦାୟ କରିଥିଲା ପୋଲିସ। ସମସ୍ୟାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନେ ଅଭିଯୋଗ କରିଥିଲେ ଯେ, ଶିଳ୍ପାଞ୍ଚଳ ରେଙ୍ଗାଲିରେ ପ୍ରତିଦିନ ହଜାର ହଜାର ଟ୍ରକ୍‌ ଯିବାଆସିବା କରୁଛି। ଏହାକୁ ନେଇ ପ୍ରତିଦିନ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।

Share