Categories: ଜାତୀୟ

ନିଜ ପସନ୍ଦରେ ବିବାହ କରିଥିବା ଦମ୍ପତିଙ୍କୁ ଧମକ ଦେଲେ କାର୍ଯାନୁଷ୍ଠାନ, ଡିଜିପିଙ୍କୁ ନିର୍ଦ୍ଦେଶ…

ଡେରାଡୁନ୍‌,୨୨।୧୧: ନିଜ ପସନ୍ଦରରେ ବିବାହ କରୁଥିବା ଦମ୍ପତିଙ୍କୁ ସେମାନଙ୍କ ପରିବାର ସଦସ୍ୟ ଅବା ବାହାରର କୌଣସି ବ୍ୟକ୍ତିଙ୍କ ଠାରୁ ଧମକ ମିଳିବାର ଅଭିଯୋଗ ଆସିଲେ, ଏନେଇ ତତ୍‌କାଳ ପଦକ୍ଷେପ ଗ୍ରହଣ କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ପୋଲିସ ବିଭାଗ ଉଚ୍ଚ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂ ଚୌହ୍ବାନ ଏବଂ ବିଚାରପତି ଆଲୋକ ବର୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ମାମଲାର ବିଚାର କରି ଏଭଳି ଦମ୍ପତିଙ୍କ ସୁରକ୍ଷା ନିଶ୍ଚିତ କରାଇବା ଲାଗି ରାଜ୍ୟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ, ନିଜ ପସନ୍ଦରେ ବିବାହ କରିବା ଏକ ସାମ୍ବିଧାନିକ ମୌଳିକ ଅଧିକାର। ଏଥିରେ ଅନ୍ୟ କାହାର ହସ୍ତକ୍ଷେପ କରିବା ଉଚିତ ନୁହେଁ। କୋର୍ଟରେ ଏଭଳି ବହୁ ମାମଲା ବିଚାରାଧିନ ରହିଛି ବୋଲି ଖଣ୍ଡପୀଠ କହିଛନ୍ତି। ଏଭଳି ମାମଲାରେ ପୋଲିସ ପକ୍ଷରୁ ଏଫ୍‌ଆଇଆର୍‌ ରୁଜୁ କ୍ଷେତ୍ରରେ କୌଣସି ବିଳମ୍ବ କରାଯିବା ଠିକ ନୁହେଁ। ଏନେଇ ସର୍କୁଲାର ଜାରି କରିବାକୁ ଖଣ୍ଡପୀଠଙ୍କ ପକ୍ଷରୁ କୁହାଯାଇଛି।

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଖଣ୍ଡପୀଠଙ୍କ ସମ୍ମୁଖରେ ହାଜର ହୋଇ ଏଭଳି ସର୍କୁଲାର ଜାରି ହୋଇ ସାରିଥିବା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଏହାର ପାଳନ କରାଯିବା ଲାଗି ସେ କୋର୍ଟଙ୍କୁ ଆଶ୍ୱାସନା ମଧ୍ୟ ଦେଇଛନ୍ତି।

Share