ନିୟମ ଭାଙ୍ଗୁଥିବା ବାର୍‌ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୯।୧୦(ସତ୍ୟଜିତ୍‌ ରାଉତ):ରାଜଧାନୀରେ ଥିବା ବାର୍‌ଗୁଡ଼ିକ ବିଭିନ୍ନ ସମୟରେ ନିୟମ ଭାଙ୍ଗୁଛନ୍ତି। ବିଶେଷକରି ଡ୍ୟାନ୍ସବାର୍‌ଗୁଡ଼ିକ ନିର୍ଦ୍ଧାରିତ ସମୟରେ ବନ୍ଦ ନ କରି ବିଳମ୍ବିତ ରାତି ଯାଏ ଖୋଲା ରଖୁଛନ୍ତି। ଯୁବତୀଙ୍କୁ ନଚାଯିବା ସହ ଗ୍ରାହକଙ୍କୁ ମଦ ପରଷା ଯାଉଛି। ଅଶୋକ ନଗରସ୍ଥିତ ରଙ୍ଗିଲା ଡ୍ୟାନ୍ସ ବାର୍‌ରେ ପୂର୍ବରୁ କାମ କରୁଥିବା ଦୁଇ ଯୁବତୀ ପରଦା ପଛର ସତ ସାମ୍ନାକୁ ଆଣିବା ପରେ ଅବକାରୀ ବିଭାଗ ତତ୍ପର ହୋଇଉଠିଛି। ପାର୍ବଣ ପାଇଁ ବାର୍‌ ଉପରେ ଚଢ଼ାଉ କରିବାକୁ ଭୁବନେଶ୍ୱର ଅବକାରୀ ପକ୍ଷରୁ ରବିବାର ୩ଟି ଟିମ୍‌ ଗଠନ ହୋଇଛି। ଅବକାରୀ ଇନ୍ସପେକ୍ଟର ବିକାଶ ନାୟକ ରବିବାର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଟିମ୍‌ଗୁଡ଼ିକ ବିଳମ୍ବିତ ରାତିରେ ଡ୍ୟାନ୍ସ ବାର୍‌କୁ ଯାଇ ଅଚାନକ ଚଢ଼ାଉ ସହ ଚେକିଂ କରିବ। ସନ୍ଦେହ ହେଲେ ସେଠାରୁ ସିସିଟିଭି ଓ ହାର୍ଡଡିସ୍କ ମଧ୍ୟ ଜବତ କରାଯିବ। ନିୟମ ଉଲ୍ଲଂଘନ କରୁଥିବା ଜଣାପଡ଼ିଲେ ଉକ୍ତ ବାର୍‌ର ଲାଇସେନ୍ସ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।
ଅବକାରୀ ବିଭାଗର ଏଭଳି ହଠାତ୍‌ ଚେତା ପଶିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏପରି କି ପୋଲିସ ଓ ଅବକାରୀ ଅଧିକାରୀଙ୍କ ଜାଣତରେ ବାର୍‌ଗୁଡ଼ିକ ବିଳମ୍ବିତ ରାତି ଯାଏ ଖୋଲା ରଖୁଥିବା ଅଭିଯୋଗ ହେଉଛି। ରାଜଧାନୀରେ ଥିବା ବାର୍‌ଗୁଡ଼ିକ ରାତି ୧୨ଯାଏ ଖୋଲିବାକୁ ଅନୁମତି ରହିଛି। କିଛି ବାର୍‌ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ନେଇଛନ୍ତି। ହେଲେ ଏହି ନିୟମକୁ କିଛି ବାର୍‌ମାଲିକମାନେ ପାଳନ କରୁ ନ ଥିବା ଦେଖିବାକୁ ମିଳୁଛି। ଭୁବନେଶ୍ୱରରେ ୧୮ଟି ଡ୍ୟାନ୍ସ ବାର୍‌ ସମେତ ମୋଟ ୭୦ଟି ବାର୍‌ ରହିଛି। ତେବେ ରଙ୍ଗିଲା ବାର୍‌ ସମେତ ଏକାଧିକ ବାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଅଭିଯୋଗ ଆଣିଥିବା ଯୁବତୀଦ୍ୱୟ ଗଣମାଧ୍ୟମ ସାମ୍ନାରେ ସତ ସାମ୍ନାକୁ ଆଣିଥିଲେ। ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା ମାମଲାରେ ମଧ୍ୟ ବାର୍‌ ଚର୍ଚ୍ଚାକୁ ଆସିଥିଲା। ବାର୍‌ରେ ନାବାଳିକାଙ୍କୁ ଡ୍ୟାନ୍ସର ଭାବେ ନିୟୋଜିତ କରାଯାଉଥିବା ଅଭିଯୋଗ ପରେ ଗତ ଅଗଷ୍ଟରେ ଅବକାରୀ ବିଭାଗ କଟକ ରୋଡସ୍ଥିତ ୮ଟି ଡ୍ୟାନ୍ସ ବାର୍‌ରେ ଚଢ଼ାଉ କରିଥିଲା।

Share