ବଦଳି ନିର୍ଦ୍ଦେଶ ମାନୁ ନ ଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର, ୨୫।୬ (ଅସମାପିକା ସାହୁ): ରାଜ୍ୟର ବହୁ ଶିକ୍ଷକ ବଦଳି ନିର୍ଦ୍ଦେଶକୁ ମାନୁ ନାହାନ୍ତି। ଏପରିକି ବଦଳି ହୋଇଥିବା ବିଦ୍ୟାଳୟରେ ଯୋଗ ନ ଦେଇ ବିଭିନ୍ନ ଆଳ କରି ଛୁଟିରେ ରହୁଛନ୍ତି। ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏପରି କରୁଥିବା ଶିକ୍ଷକଙ୍କ ବିରୋଧରେ ଏଣିକି କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ କରିବାକୁ ସେ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟକୁ ସେ ଆହୁରି କହିଛନ୍ତି, ବିଦ୍ୟାଳୟରେ ଉନ୍ନତ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରାଯିବ। ଶିକ୍ଷା ବ୍ୟବସ୍ଥା ସହ ଜଡ଼ିତ ସମସ୍ତ ସରକାରୀ ଯୋଜନାକୁ ତଳ ସ୍ତରରେ ପହଞ୍ଚାଇବାକୁ ସରକାର ପ୍ରତିବଦ୍ଧ। ଏହାସହ ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ଶୀଘ୍ର ପୂରଣ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ବହୁ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି। ସେହିଭଳି ୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Share