ଧାନ ପରିବହନ ଗାଡିର କାଗଜପତ୍ର ଠିକ୍‌ ନ ଥିଲେ ହେବ କାର୍ଯାନୁଷ୍ଠାନ: କଟକଣା ପରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ,୭।୧୦(ପ୍ରେମାନନ୍ଦ ଖମାରୀ): ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ମାତ୍ର ମାସେ ରହିଛି। ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାରେ ନୂଆ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଚାଷୀମାନେ ଧାନ ଦର କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଲେଖାଏଁ ପାଇବେ ବୋଲି ମନରେ ଆଶା ବାନ୍ଧିଛନ୍ତି। କିନ୍ତୁ ବିଗତବର୍ଷ ଗୁଡ଼ିକରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ସେଭଳି କିଛି କଟକଣା ହୋଇ ନ ଥିଲେ ମଧ୍ୟ ଏବେ ଆସନ୍ତା ଧାନ ସଂଗ୍ରହ ପ୍ରକ୍ରିୟାର ଅବ୍ୟବହିତ ପୂର୍ବରୁ ହୋଇଥିବା କଟକଣା ଚାଷୀମୁଣ୍ଡରେ ଚଡ଼କ ପଡିଛି। ଆସନ୍ତା ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ଧାନ ପରିବହନରେ ବ୍ୟବହୃତ ହେଉଥିବା ଗାଡିିଗୁଡ଼ିକର କାଗଜପତ୍ର ମୋଟର ଭେଇକିଲ ଆଇନ ଅନୁଯାୟୀ ଠିକ୍‌ ନଥିବ, ସେହି ଗାଡିଗୁଡ଼ିକ ଉପରେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ସୋମବାର ବରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ସାବୁଆ ମାଝୀ ଏକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି। ଏହା ଜାଣିବା ପରେ ଚାଷୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସାଧାରଣତଃ ଚାଷୀମାନେ ଧାନ ପରିବହନ ପାଇଁ ଆଗଭଳି ଆଉ ଶଗଡ଼ ବ୍ୟବହାର କରୁନାହାନ୍ତି। ହାର୍ଭେଷ୍ଟର ଯୋଗେ କ୍ଷେତରୁ ଧାନ ଅମଳ କରି ତାକୁ ଖଳାକୁ ଆଣୁଛନ୍ତି। ସେହିପରି ବିକ୍ରି ପାଇଁ ଅମଳ ଧାନକୁ ପୁଣି ଟ୍ରାକ୍ଟର କିମ୍ବା ଟ୍ରକ ଯୋଗେ ମଣ୍ଡିକୁ ଆଣୁଛନ୍ତି। ଏପରିକି ଅନେକ ବଡ଼ ଚାଷୀଙ୍କ ପାଖରେ ନିଜସ୍ବ ଟ୍ରାକ୍ଟର ଥିବାବେଳେ ନାମମାତ୍ର, କ୍ଷୁଦ୍ରଚାଷୀ ମଧ୍ୟ ଜମି ହଳ କରିବାଠାରୁ ଆରମ୍ଭ କରି ମଣ୍ଡିକୁ ଧାନ ଆଣିବା ପର୍ଯ୍ୟନ୍ତ ଟ୍ରାକ୍ଟର ଭଡ଼ା କରି ଆସୁଛନ୍ତି। ମଣ୍ଡିରେ ଧାନ ବିକ୍ରି ହେବା ପରେ ସେହି ଧାନ ଟ୍ରକ ଯୋଗେ ବିଭିନ୍ନ ରାଇସ୍‌ ମିଲକୁ ଯାଉଛି। ତେବେ ବାରମ୍ବାର ସ୍ବଳ୍ପ ବୃଷ୍ଟିପାତ, ରୋଗପୋକ ଉପଦ୍ରବ, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଏଭଳି ସ୍ଥଳରେ ଋଣ ପରିଶୋଧ, ବ୍ୟବହୃତ କୃଷି ଯନ୍ତ୍ରପାତିର ଟ୍ୟାକ୍ସ ପ୍ରଦାନ ତ ଦୂରର କଥା, ପରିବାର ଗୁଜୁରାଣ ମେଣ୍ଟାଇବା ପାଇଁ ମଧ୍ୟ ଚାଷୀଙ୍କୁ ହଟହଟା ହେବାକୁ ପଡ଼ୁଛି ଏବଂ ଫସଲବୀମା କ୍ଷତିପୂରଣ ସହାୟତା ଉପରେ ସେମାନଙ୍କୁ ନିର୍ଭର କରିବାକୁ ପଡ଼ୁଛି। ଏହାସତ୍ତ୍ୱେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟବହୃତ ଯାନବାହାନର କାଗଜପତ୍ର ଠିକ୍‌ ନ ଥିଲେ ଆଇନଗତ କାର୍ଯାନୁଷ୍ଠାନ ନିଆଯିବ ବୋଲି ଶୁଣିବା ପରେ ଚାଷୀମହଲରେ ଅସନ୍ତୋଷ ବଢ଼ିଚାଲିଛି। ଯଦି ଧାନ ସଂଗ୍ରହ ପ୍ରକ୍ରିୟା ପୂର୍ବରୁ ସେହି କଟକଣାକୁ ହଟା ନ ଯାଏ, ତେବେ ପ୍ରଶାସନ ଚାଷୀ ଆନ୍ଦୋଳନର ସାମ୍ନା କରିବାକୁ ପ୍ରସ୍ତୁତ ରହୁ ବୋଲି ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି। ସେହିପରି ଚାଷୀନେତା ହର ବଣିଆ କହିଛନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ତାହା ପ୍ରତ୍ୟାହାର ନ କଲେ ସ୍ଥିତି ବିଗିଡ଼ିବ ବୋଲି କହିଛନ୍ତି।

Share