ଯୋଜନାର ଅଗ୍ରଗତି ସମ୍ପର୍କିତ ପଦକ୍ଷେପ ନେଇହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, ୧୯ା୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡାଟା ଏବଂ ଆନାଲିଟିକ୍ସ-ପରିଚାଳିତ ପ୍ଲାଟ୍‌ଫର୍ମ ରାଜ୍ୟ ଡାସ୍‌ବୋର୍ଡ ଲୋକାର୍ପିତ ହୋଇଛି। ଲୋକଙ୍କ ସୁବିଧା ପାଇଁ ତଥ୍ୟ ଭିତ୍ତିରେ ସରକାରୀ ଯୋଜନାଗୁଡ଼ିକର ତଦାରଖ ଏବଂ ଉତ୍ତମ ପରିଚାଳନା ଦିଗରେ ଏହା ବିଶେଷ ସହାୟକ ହେବ। ରାଜ୍ୟ ଡାସ୍‌ବୋର୍ଡରେ ୩ଟି ପ୍ରମୁଖ ବର୍ଗ ରହିଛି। ସେଗୁଡିକ ହେଉଛି ମୁଖ୍ୟମନ୍ତ୍ରୀ ଡାସ୍‌ବୋର୍ଡ, ବିଭାଗ ଡାସ୍‌ବୋର୍ଡ ଏବଂ ପ୍ରଶାସନିକ ପଦକ୍ଷେପ ତଦାରଖ ପୋର୍ଟାଲ। ଏହି ବ୍ୟବସ୍ଥା ଦ୍ୱାରା ୫-ଟି ଭିତ୍ତିରେ ବିଭିନ୍ନ ପ୍ରଶାସନିକ ବିଭାଗର କାର୍ଯ୍ୟଦକ୍ଷତା ମୂଲ୍ୟାୟନ ହେବ।
ଏହି ଡାସ୍‌ବୋର୍ଡର ପ୍ରମୁଖ ବୈଶିଷ୍ଟ୍ୟ ହେଉଛି କେପିଆଇଏସ୍‌ (କି ପର୍ଫମାନ୍ସ ଇଣ୍ଡିକେଟର୍ସ) ପ୍ରଦର୍ଶନ ମୂଲ୍ୟାଙ୍କନ ବ୍ୟବସ୍ଥା ଏବଂ କାର୍ଯ୍ୟର ଅଗ୍ରଗତି ଦର୍ଶାଉଥିବା ଏକ ଭିଜୁଆଲ ଡିସ୍‌ପ୍ଲେ, ଯାହା ସମୟୋଚିତ ପଦକ୍ଷେପ ନେବାରେ ବେଶ୍‌ ସହାୟକ ହେବ। ବର୍ତ୍ତମାନ ଏଥିରେ ୩୦ଟି ଭିନ୍ନ ଭିନ୍ନ ଡାସ୍‌ବୋର୍ଡ ମାଧ୍ୟମରେ ୧୬ ବିଭାଗ ଯୋଡ଼ିହୋଇଛି। ପରବର୍ତ୍ତୀ ସମୟରେ ଅଧିକ ବିଭାଗକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଯୋଜନା ରଖାଯାଇଛି। ବିଭାଗଗୁଡ଼ିକର କାର୍ଯ୍ୟଦକ୍ଷତା ଏବଂ ସେମାନଙ୍କ ଦ୍ୱାରା ପରିଚାଳିତ ଯୋଜନାଗୁଡ଼ିକର ମୂଲ୍ୟାୟନ କରିବା ପାଇଁ ଏଥିରେ ଭିଜୁଆଲାଇଜେସନ୍‌ ଏବଂ ଆଡଭାନ୍ସଡ ଆନାଲିଟିକ୍ସର ବ୍ୟବହାର କରାଯାଇଛି। ମୁଖ୍ୟମନ୍ତ୍ରୀ ଡାସ୍‌ବୋର୍ଡରେ ଲୋକଙ୍କ ସୁବିଧା ପାଇଁ ସମସ୍ତ ତଥ୍ୟ ଉପଲବ୍ଧ ରହିଛି। https://cmdashboard.odisha.gov.in/ ଲିଙ୍କ୍‌ ମାଧ୍ୟମରେ ସାଧାରଣ ଲୋକ ଏହି ଡାସ୍‌ବୋର୍ଡର ବ୍ୟବହାର କରିପାରିବେ। ଜନ ଭାଗୀଦାରି ଦ୍ୱାରା ବିଭାଗଗୁଡ଼ିକର ଉତ୍ତରଦାୟିତ୍ୱ ବଢିବା ସହ ଲୋକଙ୍କୁ ଉତ୍ତମ ସେବା ପ୍ରଦାନ ବ୍ୟବସ୍ଥାରେ ଆହୁରି ସ୍ବଚ୍ଛତା ଆସିବ। ଏହାଦ୍ୱାରା ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ତଥ୍ୟ ନେଇ ପୁଙ୍ଖାନୁପୁଙ୍ଖ ସୂଚନା ମିଳିପାରିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଟେକ୍ନୋଲୋଜି ଆମ ଶାସନ ମଡେଲର ଆଧାରବିନ୍ଦୁ ପାଲଟିଛି। ଶାସନ ବ୍ୟବସ୍ଥାକୁ ଆହୁରି ପ୍ରଭାବୀ କରିବା ସହ ଜନସେବାରେ ଆହୁରି ସ୍ବଚ୍ଛତା ଆଣିବାକୁ ଆମେ ଶ୍ରେଷ୍ଠ ଟେକ୍ନୋଲୋଜିର ନିରନ୍ତର ବ୍ୟବହାର ଜାରି ରଖିବୁ। ସରକାରୀ ଯୋଜନାଗୁଡ଼ିକ ତଦାରଖ ବ୍ୟତୀତ ଏହି ଡାସ୍‌ବୋର୍ଡ ଦ୍ୱାରା ଯୋଜନାଗୁଡ଼ିକର ଅଗ୍ରଗତି ନେଇ ଅଧିକାରୀମାନେ ପଦକ୍ଷେପ ନେଇପାରିବେ ବୋଲି ସେ କହିଛନ୍ତି।

Share