ସକ୍ରିୟ ମାମଲା ଲକ୍ଷେ ୨୦ ହଜାର ମୁହାଁ…

ନୂଆଦିଲ୍ଲୀ, ୪।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୧୩୫ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୪ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୧୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୧୩ ହଜାର ୮୬୪ ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଲକ୍ଷେ ୨୦ ହଜାର ଛୁଇଁବାର ଆଶଙ୍କା ରହିଛି।

ସେହିପରି ୨୪ ଘଣ୍ଟାରେ ୧୩ ହଜାର ୯୫୮ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୨୨୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୫ ଲକ୍ଷ ୧୮ ହଜାର ୫୬୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୮ ଲକ୍ଷ ୭୯ ହଜାର ୪୭୭ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୯୬୨ ଜଣ, କେରଳରେ ୩,୬୪୨ ଜଣ, ଦିଲ୍ଲୀରେ ୬୪୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୬୭୨ଜଣ, ହରିୟାଣାରେ ୩୨୯ ଜଣ, କର୍ନାଟକରେ ୮୨୬ ଜଣ, ପଶ୍ଚିମବଙ୍ଗରେ ୧,୮୨୨, ଉତ୍ତରପ୍ରଦେଶରେ ୩୮୩ ଜଣ, ତେଲେଙ୍ଗାନାରେ ୪୫୭, ଗୁଜରାଟରେ ୪୫୬, ରାଜସ୍ଥାନରେ ୧୦୬ ଜଣ, ବିହାରରେ ୨୧୮ ଜଣ, ପଞ୍ଜାବରେ ୧୧୭ ଜଣ, ଆନ୍ଧ୍ରପ୍ରଦେଶରେ ୨୮୯ ଜଣ, ଓଡ଼ିଶାରେ ୨୪୫ ଜଣ, ମଧ୍ୟପ୍ରଦେଶରେ ୧୦୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୮ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share