ସକ୍ରିୟ ମାମଲା ୪୮ ହଜାର ମୁହାଁ …

ନୂଆଦିଲ୍ଲୀ, ୧୩।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୮ ହଜାର ଟପିଛି। ଏହା ୮ ହଜାର ୮୪ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦ ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ପୁଣି ୪୭ ହଜାର ଟପିଛି। ଏହା ୪୮ ହଜାର ମୁହାଁ ହୋଇ ୪୭ ହଜାର ୯୯୫ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୪ ହଜାର ୫୯୨ ଜଣ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୯୪୬ ଜଣ, କେରଳରେ ୨,୩୧୯ ଜଣ, ଦିଲ୍ଲୀରେ ୭୩୫ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କର୍ନାଟକରେ ୪୬୩ ଜଣ, ହରିୟାଣାରେ ୩୦୪ ଜଣ, ଉତ୍ତରପ୍ରଦେଶରେ ୨୫୮ ଜଣ, ତାମିଲନାଡୁରେ ୨୪୯ ଜଣ, ଗୁଜରାଟରେ ୧୪୦, ତେଲେଙ୍ଗାନାରେ ୧୨୯, ପଶ୍ଚିମବଙ୍ଗରେ ୧୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୬୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୨ ଲକ୍ଷ ୨୨ ହଜାର ୧୭ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୬ ଲକ୍ଷ ୫୨ ହଜାର ୭୩୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୫ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୩ କୋଟି ୫୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share