୮୦ ହଜାର ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୦।୬ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ୧୨ ହଜାର ଟପିଛି। ଏହା ୧୨ ହଜାର ୭୮୧ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୮ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ପୁଣି ୭୬ ହଜାର ଟପିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ୮୦ ହଜାର ଟପିବାର ଆଶଙ୍କା ରହିଛି। ଗତ ୨୪ ଘଣ୍ଟାରେ ଏହା ୭୬ ହଜାର ୭୦୦ ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟାରେ ୮ ହଜାର ୫୩୭ ଜଣ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୪,୦୦୪ ଜଣ, କେରଳରେ ୩,୩୭୬ ଜଣ, ଦିଲ୍ଲୀରେ ୧,୫୩୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୬୯୨ ଜଣ, କର୍ନାଟକରେ ୬୨୩ ଜଣ, ଉତ୍ତରପ୍ରଦେଶରେ ୪୯୦ ଜଣ, ହରିୟାଣାରେ ୪୮୬ ଜଣ, ପଶ୍ଚିମବଙ୍ଗରେ ୩୬୨, ଗୁଜରାଟରେ ୨୪୪, ତେଲେଙ୍ଗାନାରେ ୨୩୬, ପଞ୍ଜାବ ୧୦୩, ଗୋଆରେ ୧୦୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୮୭୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୩ ଲକ୍ଷ ୯ ହଜାର ୪୭୩ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୭ ଲକ୍ଷ ୭ ହଜାର ୯୦୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୬ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୭୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୩ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share