ଓ୍ବାଶିଂଟନ/ନୂଆଦିଲ୍ଲୀ,୧୦।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଟୁଇଟର୍ ଆକାଉଣ୍ଟ୍ ଉପରେ ପ୍ରତିବନ୍ଧକ ଲାଗିବା ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜାଣତରେ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଏବେ ମୋଦି ଟୁଇଟରରେ ସର୍ବାଧିକ ଫଲୋଅର୍ସ ଥିବା ପୃଥିବୀର ଏକ ନମ୍ବର ସକ୍ରିୟ ରାଜନେତା ପାଲଟି ଯାଇଛନ୍ତି। ଟୁଇଟରରେ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬ କୋଟି ୪୭ ଲକ୍ଷ ରହିଛି। ଟ୍ରମ୍ପ୍ଙ୍କର ଫଲୋଅର୍ସ ସଂଖ୍ୟା ୮ କୋଟି ୮୭ ଲକ୍ଷଥିଲା। ମାତ୍ର ତାଙ୍କ ଆକାଉଣ୍ଟ ବନ୍ଦ କରାଯିବାର ଏବେ ମୋଦି ଟ୍ରମ୍ପ୍ଙ୍କ ବଦଳରେ ଏକ ନମ୍ବର ସ୍ଥାନକୁ ଆସିଛନ୍ତି। ପୂର୍ବରୁ ମୋଦି ଫଲୋଅର୍ସ ସଂଖ୍ୟାରେ ସକ୍ରିୟ ରାଜନେତା ଭାବେ ଦ୍ୱିତୀୟ ସ୍ଥାନରେ ଥିଲେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୧୨ କୋଟି ୭୯ ଲକ୍ଷ ରହିଛି। ତେବେ ସେ ଏବେ କୌଣସି ପଦବୀରେ ନାହାନ୍ତି। ତେଣୁ ସେ ସକ୍ରିୟ ରାଜନେତା ନୁହନ୍ତି। ଅପରପକ୍ଷରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ୩୩ ଲକ୍ଷ ରହିଛି।