Categories: ଜାତୀୟ

ଆଣ୍ଡାମାନ ସାଗରରେ ସକ୍ରିୟ ଆଗ୍ନେୟଗିରି: ଠାବକଲେ ଭାରତୀୟ ବୈଜ୍ଞାନିକ

ବେଙ୍ଗାଲୁରୁ,୩୦ା୯ : ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଆଗ୍ନେୟଗିରି ପାଣିରେ ବୁଡ଼ି ରହିଛି। ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସନୋଗ୍ରାଫି (ଏନ୍‌ଆଇଓ)ର ଦୁଇଜଣ ଭାରତୀୟ ବୈଜ୍ଞାନିକ ଏହି ଆଗ୍ନେୟଗିରିକୁ ଆବିଷ୍କାର କରିଛନ୍ତି। ୨୦୦୭ରେ ପ୍ରଥମେ ଦେଖାଯାଇଥିବା ସିସ୍‌ମିକ୍‌ ଜୋନ୍‌ର ଏହା କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ସମୁଦ୍ର ଗର୍ଭସ୍ଥ ଆଗ୍ନେୟଗିରି ବା କ୍ରାଟର ସିମାଉଣ୍ଟରୁ ଯେକୌଣସି ସମୟରେ ଲାଭା ଉଦ୍‌ଗିରଣ ହୋଇପାରେ, ଯାହା ଭୂକମ୍ପ କରାଇବା ସହ ଜାଭା-ସୁମାତ୍ରା ଅଞ୍ଚଳରେ ସୁନାମୀ ଘଟାଇପାରେ। ତେବେ ଉକ୍ତ ଆଗ୍ନେୟଗିରିରୁ କେବେ ଲାଭା ଉଦ୍‌ଗିରଣ ହେବା ତାହା ନିର୍ଦ୍ଦିଷ୍ଟ ଭାବେ କୁହାଯାଇପାରିବ ନାହିଁ। ଏନ୍‌ଆଇଓର ବରିଷ୍ଠ ବୈଜ୍ଞାନିକ ଶ୍ରୀରାମ ଗୁଲ୍ଲାପାଲ୍ଲୀ ଏବଂ ବରିଷ୍ଠ ପ୍ରମୁଖ ବୈଜ୍ଞାନିକ ପଓ୍ବନ ଦଓ୍ବେଙ୍ଗନ ୨୦୧୮ରେ ପ୍ରଥମେ ଆଣ୍ଡାମାନ-ନିକୋବର ଭଲ୍‌କାନିକ୍‌ ଆର୍କର ୫୦୦ ମିଟର ଗଭୀରରେ ବୁଡ଼ିରହିଥିବା ଆଗ୍ନେୟଗିରିରୁ ଗ୍ୟାସ୍‌ ଉପରକୁ ଉଠୁଥିବାର ଦେଖିବାକୁ ପାଇଥିଲେ। ସେମାନେ ୨୦୨୧ରେ ପୁନର୍ବାର ସେମାନଙ୍କ ଆବିଷ୍କାରକୁ ଅନୁଧ୍ୟାନ କରି ଆଣ୍ଡାମାନ୍‌-ନିକୋବର ଆର୍କରେ ସମୁଦ୍ର ଗର୍ଭରେ ଆଗ୍ନେୟଗିରି ଥିବା ସ୍ପଷ୍ଟ ହୋଇଥିଲେ। ସହକର୍ମୀମାନଙ୍କ ଦ୍ୱାରା ଏହାର ସମୀକ୍ଷା ପାଇଁ ପଠାଯାଇଥିଲା। ଗତ ଜୁଲାଇରେ ଉକ୍ତ ସନ୍ଦର୍ଭ ଜିଓ-ମେରାଇ୍‌ ଲେଟର୍ସ ନାମକ ପତ୍ରିକାରେ ପ୍ରକାଶ ପାଇଥିଲା।

Share