ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନପ୍ରାପ୍ତ ଜଣେ ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ ଏବଂ ଅଭିନେତା । ଓଡ଼ିଶା ଯାତ୍ରା ଜଗତର ଭୀଷ୍ମ ପିତାମହ ଭାବେ ଜଣାଶୁଣା ସଚ୍ଚି ଦାସ । ସେ ୫୦୦ରୁ ଉର୍ଦ୍ଧ୍ୱ ଯାତ୍ରା ସହିତ, ୧୦୦ରୁ ଉର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ୪୦୦ରୁ ଅଧିକ ଯାତ୍ରା ଓ ନାଟକ ସେ ନିଜେ ରଚନା କରିଛନ୍ତି ।

ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୁରା କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି ।
ପିତା ଭଗିରଥ ଦାସ ଓ ମାତା ପ୍ରିୟମ୍ବଦା ଦେବୀଙ୍କ ସନ୍ତାନ ସଚ୍ଚି, ୧୯୩୬ ମସିହାରେ ଯାଜପୁର ଜିଲାର ବରୀଠାରେ ଜନ୍ମଗ୍ରହଣ କରିଥିଲେ । ପିତା ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ । ମାତା ପ୍ରିୟମ୍ବଦା ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସଚ୍ଚିଙ୍କର ଅଭିନୟ ଗାଁ ମଞ୍ଚରୁ ଆରମ୍ଭ ହୋଇଥିଲା । ନାଟକର ନାଁ ଥିଲା ଟିପଚିହ୍ନ । ଛାତ୍ରାବସ୍ଥାରେ ସେ ଗୁରୁ ଶ୍ୟାମସୁନ୍ଦର ଧୀରଙ୍କଠାରୁ ଶାସ୍ତ୍ରୀୟ ଗାୟନ ଓ ତବଲା ବାଦନ ଶିକ୍ଷା କରିଥିଲେ । ୧୯୫୮ ମସିହାରେ ସେ ଜନତା ରଙ୍ଗମଞ୍ଚ ସହିତ ଜଡ଼ିତ ହୋଇଥିଲେ । ସ୍ବର୍ଗତ ସଚ୍ଚି ଦାସ ପ୍ରାୟ ସବୁ ଚଳଚିତ୍ର ଓ ଡ୍ରାମାରେ ଜମିଦାର, ସମ୍ଭ୍ରାନ୍ତ ଘରର ମୁରବୀ ଭାବରେ ଅଭିନୟ କରି ଖୁବ ସୁନାମ ଅର୍ଜି ଥିଲେ ।

Share