ହାଜର ହେଲେ ଅନୁଭବ, ହେଲାନି ସାକ୍ଷ୍ୟ ଗ୍ରହଣ

କଟକ,୨୮ା୬(କାର୍ତ୍ତିକ ସାହୁ):ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ମାମଲାରେ ଗୁରୁବାର କଟକ ଜେଏମ୍‌ଏଫ୍‌ସି (ଏମ୍‌ପି/ଏମ୍‌ଏଲ୍‌ଏ ସ୍ବତନ୍ତ୍ର କୋର୍ଟ)ରେ ଅଭିନେତା ତଥା ପୂର୍ବତନ ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ଦୁଇ ସହଯୋଗୀ ହାଜର ହୋଇଛନ୍ତି। ପୂର୍ବ ଶୁଣାଣି ୨୫ ତାରିଖରେ ପ୍ରତିପକ୍ଷମାନେ କେହି ହାଜର ହୋଇ ନ ଥିବାରୁ ସାକ୍ଷ୍ୟଗ୍ରହଣ ନିମନ୍ତେ ଗୁରୁବାରକୁ ଧାର୍ଯ୍ୟ ହୋଇଥିଲା। ମାତ୍ର କୌଣସି କାରଣରୁ ସେମାନଙ୍କର ସାକ୍ଷ୍ୟ ଗ୍ରହଣ ହୋଇପାରିନାହିଁ। ଫଳରେ ପରବର୍ତ୍ତୀ ଶୁଣାଣି ନିମନ୍ତେ ଆସନ୍ତା ଜୁଲାଇ ୧୯କୁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀ ଅନୁଯାୟୀ, ଅନୁଭବଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ୨୦୨୦ରେ ଏକ ନିର୍ଯାତନା ମାମଲା ରୁଜୁ କରିଥିଲେ। ଅନୁଭବ ତାଙ୍କୁ ମାନସିକ, ଶାରୀରିକ ଭାବେ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ଧମକ ଦେଉଥିବା ସେ ଅଭିଯୋଗରେ ଦର୍ଶାଇଥିଲେ। ଅନୁଭବଙ୍କ ଦୁଇ ସହଯୋଗୀ ସୁଜିତ୍‌ ଦଳାଇ ଓ ଖଗେନ୍ଦ୍ର ପ୍ରସାଦ ସାହୁ ମଧ୍ୟ ତାଙ୍କୁ ନିର୍ଯାତନା ଦେଉଥିବା ବର୍ଷା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ ଅନୁଭବ କୋର୍ଟରେ ଡିସ୍‌ଚାର୍ଜ ପିଟିଶନ୍‌ ଦାଏର କରିଥିଲେ। ହେଲେ ବର୍ଷାଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଏହି ମାମଲାରେ ଚାର୍ଜଫ୍ରେମ୍‌ ପାଇଁ ଯୁକ୍ତି ରଖାଯାଇଥିଲା। କଟକ ଜେଏମ୍‌ଏଫ୍‌ସି କୋର୍ଟ ଅନୁଭବ କରିଥିବା ଆବେଦନକୁ ଗତ ମେ ୮ରେ ଖାରଜ କରିଦେଇଥିଲେ। ଏଥିସହ ମେ ୧୦ରେ ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଦିନ ଅନୁଭବଙ୍କୁ ହାଜର ହେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନୁଭବ କୋର୍ଟରେ ହାଜର ନ ହୋଇ ସମୟ ଗଡ଼ାଇବାରୁ ଜାମିନବିହୀନ ଗିରଫ ପରଓ୍ବାନା (ଏନ୍‌ବିଡବ୍ଲ୍ୟୁ) ଜାରି କରାଯାଇଥିଲା। ସ୍ବତନ୍ତ୍ର କୋର୍ଟଙ୍କ ଏନ୍‌ବିଡବ୍ଲ୍ୟୁ ଜାରି ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନୁଭବଙ୍କ ଆବେଦନର ଶୁଣାଣି କରି ଏନ୍‌ବିଡବ୍ଲ୍ୟୁ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇଥିଲେ। ଏନ୍‌ବିଡବ୍ଲ୍ୟୁ ମାମଲାରେ ଅନୁଭବ ଗୁରୁବାର ସ୍ବତନ୍ତ୍ର କୋର୍ଟରେ ହାଜର ହୋଇଥିଲେ। ଏହାପରେ ତାଙ୍କ ନାମରେ ଓ ତାଙ୍କର ଦୁଇ ସହଯୋଗୀଙ୍କ ନାମରେ ଚାର୍ଜଫ୍ରେମ୍‌ ହୋଇସାରିଛି। ଆଇନଜୀବୀ ଅଫ୍ରଜ ଅହମ୍ମଦ ମାମଲା ପରିଚାଳନା କରୁଛନ୍ତି।