ପ୍ରଶଂସକଙ୍କ ସହଯୋଗ ଲୋଡିଲେ ଅନୁଭବ ମହାନ୍ତି

କଟକ ଅଫିସ୍‌,୧୧।୯: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନକୁ ନେଇ ଉଠିଥିବା ବିବାଦ ସମାଧାନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପରସ୍ପରର ଅଭିଯୋଗକୁ ମିଥ୍ୟା ଦର୍ଶାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ବେଳେ ଉଭୟଙ୍କୁ ଭେଟିଛନ୍ତି କିଛି ମାନବାଧିକାର କର୍ମୀ। ଏହାପରେ ଅନୁଭବ ଟୁଇଟର୍‌ରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ମାନବାଧିକାର କର୍ମୀଙ୍କୁ ବିଶ୍ୱାସ କରିବି ନା ମୋ ସମ୍ମାନସ୍ପଦ ବାପା ମା’ଙ୍କୁ ବିଶ୍ୱାସ କରିବି। ଅବଶ୍ୟ ଏହାର ସଠିକ୍‌ ଉତ୍ତର ମୁଁ ଜାଣେ, ତଥାପି ଆପଣଙ୍କ ସହଯୋଗ ଲୋଡା ବୋଲି ସେ କହିଛନ୍ତି। ଏହାପରେ ଅନେକ ପ୍ରଶଂସକ ଅନୁଭବଙ୍କୁ ମାମଲାର ସମାଧାନ କରି ବର୍ଷାଙ୍କ ସହ ପୁଣିଥରେ ହସଖୁସିରେ ଜୀବନ ବିତାଇବା ପାଇଁ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ଗୀତାଶ୍ରୀ ଦାସଙ୍କ ନେତୃତ୍ୱରେ ଏକ ୫ ଜଣିଆ ପ୍ରତିନିଧି ଦଳ ଅନୁଭବ ମହାନ୍ତିଙ୍କ କଟକ ବାସଭବନକୁ ଯାଇ ଦମ୍ପତ୍ତିଙ୍କୁ ଭେଟି ଆଲୋଚନା କରିଥିଲେ।

Share