ମୁମ୍ବାଇ,୩।୧୨: ଅଭିନେତା ତଥା ଲୋକପ୍ରିୟ କମେଡିଆନ୍ ସୁନୀଲ ପାଲଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ସେ ନିଖୋଜ ଥିବା ନେଇ ପତ୍ନୀ ସାନ୍ତାକ୍ରୁଜ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସାରା ଦିନ ପତ୍ନୀଙ୍କ ସହ ସମ୍ପର୍କ ହୋଇପାରିନାହିଁ। ଫୋନ୍ କରିବାରେ ନମ୍ବର ବନ୍ଦ ଆସୁଥିବା ନେଇ ସେ ପୋଲିସ ନିକଟରେ କରିଥିବା ଅଭିଯୋଗରେ କହିଛନ୍ତି।
ସୂଚନାନୁଯାୟୀ, କମେଡିଆନ ତଥା ଅଭିନେତା ସୁନୀଲ ପାଲ ମୁମ୍ବାଇ ବାହାରେ ଶୋ’ କରିବାକୁ ଯାଇଥିଲେ। ମଙ୍ଗଳବାର ତାଙ୍କୁ ଫେରିବାର ଥିଲା। ହେଲେ ସେ ଘରକୁ ଫେରି ନାହାନ୍ତି। ସକାଳଠାରୁ ତାଙ୍କ ଫୋନ୍ ଲାଗୁନାହିଁ। ଏହାକୁ ନେଇ ପତ୍ନୀ ଚିନ୍ତାରେ ପଡ଼ିଛନ୍ତି ଏବଂ ଲଗାତାର ଭାବେ ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ଫୋନ ନ ଲାଗିବା ଯୋଗୁ ପତ୍ନୀ ଥାନାକୁ ଯାଇ ନିଖୋଜ ହେବାର ରିପୋର୍ଟ ଦାୟର କରିଛନ୍ତି।
ଅଭିଯୋଗ ପରେ ପୋଲିସ ମାମଲାର ଯାଞ୍ଚ କରୁଛି। ତାଙ୍କୁ କେଉଁ ଶୋ’ ପାଇଁ ଡକାଯାଇଥିଲା ସେନେଇ ତଦନ୍ତ କରିବା ସହ କମେଡିଆନକୁ ଖୋଜିବାକୁ ଚେଷ୍ଟା କରୁଛି। ଅପରପକ୍ଷେ ସୁନୀଲଙ୍କ ପ୍ରଶଂସକ ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ ବୋଲି ପ୍ରାର୍ଥନା କରୁଛନ୍ତି।