ହୃଦ୍‌ଘାତରେ ସାଉଥ କମେଡିଆନ ବିବେକଙ୍କ ନିଧନ

ଚେନ୍ନାଇ,୧୭।୪: ତାମିଲ ଫିଲ୍ମର ବେଶ୍‌ ଲୋକପ୍ରିୟ ଅଭିନେତା ତଥା କମେଡିଆନ ବିବେକଙ୍କ ପରଲୋକ ଘଟିଛି। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଶନିବାର ଭୋରରୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୯ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ସୂଚନାଯୋଗ୍ୟ, ଏପ୍ରିଲ ୧୬ରେ ବିବେକଙ୍କ ହୃଦ୍‌ଘାତ ହୋଇଥିଲା। ଏହାପରେ ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ଇସିଏମ୍‌ଓ ଚିକିତ୍ସା କରିଥିଲେ। ତେବେ ଚିକିତ୍ସାଧିନ ଅବସ୍ଥାରେ ଶନିବାର ସକାଳ ୪ଟା ୪୫ରେ ତାଙ୍କର ମୁତ୍ୟୁ ଘଟିଛି। ସୂଚନା ମୁତାବକ ଏପ୍ରିଲ ୧୫ରେ ବିବେକ କରୋନା ଭାକ୍ସିନର ପ୍ରଥମ ଡୋଜ୍‌ ଏକ ସରକାରୀ ହସ୍ପିଟାଲରେ ନେଇଥିଲେ। ଏଥିସହ ସେ ଲୋକଙ୍କୁ ଭାକ୍ସିନ ନେବାକୁ ସଚେତନ ମଧ୍ୟ କରିଥିଲେ। ତାମିଲ ଫିଲ୍ମରେ ବିବେକ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ ସେ ରଜନୀକାନ୍ତ, କମଲ ହାସନ ଅଜିତ, ବିଜୟ ଓ ମାଧବନଙ୍କ ଭଳି ଭେଟେରାନ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ତାମିଲ ଫିଲ୍ମରେ ତାଙ୍କର ଯୋଗଦାନ ପାଇଁ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା।

Share