ଟିଭି ସିରିଏଲ୍‌ର ଏହି ଅଭିନେତା କରୋନା ପଜିଟିଭ୍‌: ୩ଦିନ ଯାଏଁ ବନ୍ଦ ରହିଲା ଶୁଟିଂ

ମୁମ୍ବାଇ,୭।୭: କରୋନା ଲକ୍‌ଡାଉନ ଯୋଗୁ ୩ମାସରୁ ସମସ୍ତ ଫିଲ୍ମ ଓ ସିରିୟଲ୍‌ ଶୁଟିଂ ବନ୍ଦ ରହିଛି। କରୋନା ସଙ୍କଟ ମଧ୍ୟରେ ତଥା ଅନ୍‌ଲକ-୨ରେ ମହାରାଷ୍ଟ୍ର ସରକାର କେତେକ କଟକଣା ଉପରେ କୋହଳ କରିଛନ୍ତି। ସେଥିମଧ୍ୟରୁ ସିରିୟଲ୍‌ ଶୁଟିଂ ଅନ୍ୟତମ। ସରକାର ଟିଭି ଶୋ’ର ନିର୍ମାତାଙ୍କୁ ଶୁଟିଂ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏଥିପାଇଁ କଡ଼ା ନିୟମ ମଧ୍ୟ ଜାରି କରାଯାଇଛି। ଏହି ନିୟମକୁ କ୍ରୁର ସମସ୍ତ ସଦସ୍ୟ ପାଳନ କରିବା ଜରୁରୀ। ତେବେ ଏହି ନିୟମ ପାଳନ କରି କିଛି ଟିଭି ଶୋ’ର ଶୁଟିଂ ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ପ୍ରୋମୋ ମଧ୍ୟ ରିଲିଜ୍‌ କରାଯାଇଛି। ଇତିମଧ୍ୟରେ ସବୁ ନିୟମ ପାଳନ କରିବା ସତ୍ତ୍ୱେ ମଧ୍ୟ ‘ଏକ ମହାନାୟକ-ଡା ବିଆର ଆମ୍ବେଦକର’ଙ୍କ ଶୁଟିଂକୁ ଅଧାରୁ ବନ୍ଦ କରିବାକୁ ପଡ଼ିଛି। କାରଣ ଶୋ’ର ଜଣେ ଅଭିନେତା କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଶୋ’ରେ ବିଆର ଆମ୍ବେଦକରଙ୍କ ବାପାଙ୍କ ଚରିତ୍ରରେ ଅଭିନୟ କରୁଥିବା ଜଗନ୍ନାଥ ନିମ୍ଭଗୁଣେ କରୋନାରେ ସଂକ୍ରମିତ ହୋଇଛନ୍ତି। ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଚିହ୍ନଟ କରାଯାଉଥିବା ଜଣାପଡ଼ିଛି। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରୋଡକ୍ସନ ହାଉସ୍‌ ନିଜ ବୟାନରେ କହିଛି। ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶକୁ ପାଳନ କରଯାଇଛି। ଏହା ସତ୍ତ୍ୱେ କରୋନା ପଜିଟିଭ୍‌ ବାହାରିବା ଏକ ଦୁର୍ଭଗ୍ୟପୂର୍ଣ୍ଣ ବୋଲି ପ୍ରୋଡକ୍ସନ ହାଉସ୍‌ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଶୁଟିଂ ସେଟ୍‌କୁ ୩ଦିନ ପର୍ଯ୍ୟନ୍ତ ବନ୍ଦ କରାଯାଇ ସାନିଟାଇଜ୍‌ କରାଯାଉଛି।

Share