ଦୁର୍ଘଟଣାରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ

ମରାଠୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଇଶ୍ୱରୀ ଦେଶପାଣ୍ଡେ ଏକ କାର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଗୋଆର ବାଗା-କାଲାଙ୍ଗୁଟରେ ସେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଏହି ସମୟରେ କାରରେ ଉପସ୍ଥିତ ଥିବା ତାଙ୍କ ବନ୍ଧୁ ଶୁଭମ ଦେଗଡେ ମଧ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କାର୍‌ ଗଭୀର ପାଣିରେ ବୁଡିଯିବା କାରଣରୁ ଉଭୟଙ୍କର ମୃତ୍ୟୁ ହୋଇଥିଲା। ୨୫ ବର୍ଷ ବୟସ୍କା ଇଶ୍ୱରୀ ଛୁଟି କାଟିବା ପାଇଁ ଗୋଆ ଯାଇଥିଲେ। ଗୋଆ ପୋଲିସ କହିଛି ଯେ, ସେମାନେ ଯାଉଥିବା କାର ଦ୍ରୁତ ଗତିରେ ଆସୁଥିଲା ଏବଂ ଅନିୟନ୍ତ୍ରିତ ଭାବରେ ପାଣିରେ ପଡିଯାଇଥିଲା। ତେବେ କାରଟି କିଏ ଚଳାଉଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାର ପୂର୍ବ ରାତିରେ ଉଭୟ ଏକ କ୍ଲବକୁ ଯାଇଥିବା ପୋଲିସ ଅନୁମାନ କରୁଛି। ଶୁଭମ ଡିଗଡେ ପୁଣେର କିର୍କଟୱାଡି ଅଞ୍ଚଳର ବାସିନ୍ଦା ହୋଇଥିବାବେଳେ ଇଶ୍ୱରୀ ଦେଶପାଣ୍ଡେ ମଧ୍ୟ ପୁଣେରେ ରହୁଥିଲେ। ଦୁର୍ଘଟଣାର ସୂଚନା ପାଇବା ମାତ୍ରେ ଉଭୟଙ୍କ ପରିବାର ପୁଣେରୁ ଗୋଆରେ ପହଞ୍ଚିଛନ୍ତି।
ଇଶ୍ୱରୀ ଦେଶପାଣ୍ଡେ ଜଣେ ମରାଠୀ ଅଭିନେତ୍ରୀ ଥିଲେ ଏବଂ ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି। ନିକଟରେ ଇଶ୍ୱରୀ ଏକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରୁଥିଲେ। ତାଙ୍କର ମରାଠୀ ଚଳଚ୍ଚିତ୍ରର ଶୁଟିଂ ପ୍ରାୟ ଶେଷ ହୋଇଯାଇଥିଲା ଏବଂ ଖୁବ ଶୀଘ୍ର ତାଙ୍କ ଅଭିନୀତ ଫିଲ୍ମ ପରଦାରେ ମୁକ୍ତିଲାଭ କରିବାର ଥିଲା। ଅଭିନେତ୍ରୀ ଇଶ୍ୱରୀ ଏବଂ ଶୁଭମ ଦେଗଡେ ଗତ କିଛି ବର୍ଷ ଧରି ପରସ୍ପର ସହ ସମ୍ପର୍କ ରଖିଥିଲେ। କୁହାଯାଏ ଯେ ଦୁହେଁ ଦୀର୍ଘ ସମୟ ଧରି ପରସ୍ପରକୁ ଜାଣିଥିଲେ। ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଏହି ସମ୍ପର୍କ ଧୀରେ ଧୀରେ ପ୍ରେମରେ ପରିଣତ ହେଲା। କୁହାଯାଉଛି ଯେ ପରବର୍ତ୍ତୀ ମାସରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିଲେ, କିନ୍ତୁ ଏକ ନୂତନ ଜୀବନ ଆରମ୍ଭ ପୂର୍ବରୁ ସେମାନଙ୍କ ଜୀବନ ଏହିପରି ଶେଷ ହୋଇଥିଲା।

 

Share