Categories: ଜାତୀୟ

ବିମାନବନ୍ଦରରେ ଜ୍ୟାକଲିନଙ୍କୁ ଅଟକାଇଲେ ଅଧିକାରୀ

ମୁମ୍ବାଇ,୫।୧୨: ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ରବିବାର ମୁମ୍ବାଇ ବିମାନ ବନ୍ଦରରେ ଇମିଗ୍ରେଶନ ଅଧିକାରୀ ରୋକି ଦେଇଛନ୍ତି। ସୁକେଶ ଚନ୍ଦ୍ରଶେଖରଙ୍କ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ପାଇଁ ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିଛି। ଏଣୁ ତାଙ୍କୁ ଭାରତ ଛାଡ଼ିବାକୁ ଅନୁମତି ମିଳି ନାହିଁ। ତେବେ ଏକ ଇଭେଣ୍ଟରେ ଯୋଗଦେବା ଲାଗି ୩୬ ବର୍ଷୀୟା ଅଭିନେତ୍ରୀ ଦୁବାଇ ଯିବାକୁ ଚାହୁଁଥିଲେ। ତାଙ୍କୁ ଏବେ ପଚରାଉଚରା ପାଇଁ ଦିଲ୍ଲୀ ଅଣାଯିବ।

୨୦୦ କୋଟି ଟଙ୍କାର ଏକ ଠକେଇ ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ୍‌ ଦାଖଲ କରିଛି। ଅଭିଯୁକ୍ତ ଚନ୍ଦ୍ରଶେଖର ଏବଂ ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ ବହୁ ପରିମାଣରେ ଟଙ୍କା ନେଣଦେଣ ହୋଇଥିବା ପ୍ରମାଣ ମିଳିଛି। ୫୨ ଲକ୍ଷ ଟଙ୍କାର ଏକ ଘୋଡ଼ା ଓ ୯ ଲକ୍ଷ ଟଙ୍କାର ପର୍ସିଆନ ବିଲେଇ ସମେତ ଜ୍ୟାକଲିନଙ୍କୁ ଉପହାର ବାବଦକୁ ୧୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଚାର୍ଜଶିଟରେ ଦର୍ଶାଇଛି କେନ୍ଦ୍ରୀୟ ସଂସ୍ଥା। ଚାର୍ଜଶିଟ୍‌ରେ ଫର୍ନାଣ୍ଡିଜଙ୍କ ସମେତ ନୋରା ଫତେଇଙ୍କ ନାମ ମଧ୍ୟ ରହିଛି। ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତି ନେଇ ଦୁହିଁଙ୍କୁ ପଚରାଉଚରା କରାଯାଇଥିଲା।

Share