ଅଭିନୟ ପୂର୍ବରୁ ଟଳିପଡ଼ିଲେ ଯାତ୍ରା ଅଭିନେତା ଜୟନ୍ତ

ନୀଳଗିରି,୧୬।୫(ସ୍ବ.ପ୍ର): କିଛି ସମୟ ପରେ ମଞ୍ଚ ଉପରେ କରିଥାନ୍ତେ ଅଭିନୟ। ଗ୍ରୀନରୁମ୍‌ରେ ସଜବାଜ ହୋଇ ବସିଥିଲେ। ମେଲୋଡି ସରିବା ପରେ ପ୍ରଥମ ଦୃଶ୍ୟରେ ଥିଲା ତାଙ୍କର ଅଭିନୟ। ହେଲେ ହଠାତ୍‌ ଅଚେତ ହୋଇ ଟଳିପଡ଼ିଲେ। ସାଥୀ କଳାକାର ଓ ଯାତ୍ରା କମିଟି ସଦସ୍ୟମାନେ ତାଙ୍କୁ ନିକଟସ୍ଥ ଦାନଗଦୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଆକସ୍ମିକ ମୃତ୍ୟୁର ଶିକାର ହୋଇଛନ୍ତି ଯାତ୍ରା ଦରବାରର ବିଶିଷ୍ଟ କଳାକାର ଜୟନ୍ତ କୁମାର ମହାପାତ୍ର (୩୮)। ଏଭଳି ଦୁର୍ଘଟଣା ପାଇଁ ଯାତ୍ରାକୁ ଅଧାରାତିରୁ ବନ୍ଦ କରାଯାଇଥିଲା।
ରବିବାର ରାତିରେ ଯାଜପୁର ଜିଲା ଡୁବୁରୀସ୍ଥିତ ପାଇକପୁରାଠାରେ ନାଟକ ‘ଶ୍ରାବଣ ଦେଇଛି ଛ ଗୁଣ ଲୁହ’ ପରିବେଷଣ ହେବା ପୂର୍ବରୁ ଜୟନ୍ତଙ୍କୁ ହରାଇ ସାଥୀ କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ଜୟନ୍ତଙ୍କ ଘର ନୀଳଗିରି ବ୍ଲକ ଉପରଡ଼ିହା ଗ୍ରାମରେ। ସେ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ମେଳାପୀ ଓ ଖୁସ୍‌ ମିଜାଜର ଯୁବକ ଥିଲେ। ପୂର୍ବରୁ ଜୟନ୍ତଙ୍କ ବାପା ସିଦ୍ଧେଶ୍ୱର ମହାପାତ୍ର ମଧ୍ୟ ଯାତ୍ରା ପେଣ୍ଡାଲରେ ମୃତ୍ୟୁବରଣ କରିଥିଲେ। ସୋମବାର ସନ୍ଧ୍ୟାରେ ନିଜ ଗାଁ ଉପରଡ଼ିହାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।