ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଭେଟିଲେ କଙ୍ଗନା

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାନାୱତ ଓ ମହାରାଷ୍ଟ୍ରର ଶିବସେନା ସରକାରଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଏହାରି ଭିତରେ ବିଏମ୍‌ସି ପକ୍ଷରୁ ମୁମ୍ବାଇରେ ଥିବା କଙ୍ଗନାଙ୍କ କାର୍ଯ୍ୟାଳୟର କିଛି ଅଂଶକୁ ବେଆଇନ ନିର୍ମାଣ ଦର୍ଶାଇ ଭାଙ୍ଗି ଦିଆଯାଇଛି । ରବିବାର ଏହାକୁ ନେଇ କଙ୍ଗନା ରାଜ୍ୟପାଳ ଭଗତ ସିଂ କୋଶୟାରିଙ୍କୁ ଭେଟିଛନ୍ତି । ତାଙ୍କ ସହ ତାଙ୍କ ଭଉଣୀ ରଙ୍ଗୋଲି ମଧ୍ୟ ରାଜଭବନ ଯାଇଥିଲେ । ଏହି ସମୟରେ ସେ ଶିବସେନା ପକ୍ଷରୁ ତାଙ୍କ ପ୍ରତି କରାଯାଇଥିବା ବ୍ୟବହାର ଓ ବିଏମସି ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଭଙ୍ଗା ଘଟଣା ସମ୍ପର୍କରେ ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିଛନ୍ତି। ଜଣେ ସାଧାରଣ ନାଗରିକ ଭାବେ ସେ ରାଜ୍ୟପାଳଙ୍କୁ ତାଙ୍କ ଗୁହାରି ଶୁଣାଇଛନ୍ତି। ରାଜ୍ୟପାଳ ତାଙ୍କ କଥାକୁ ଜଣେ ଝିଅ ଭାବେ ଶୁଣିଛନ୍ତି ଆଉ କଙ୍ଗନାଙ୍କୁ ନ୍ୟାୟ ମିଳିବ ବୋଲି ସେ ଆଶା ରଖିଛନ୍ତି । ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଅଭିନେତ୍ରୀ। ପୂର୍ବରୁ ଗଣମାଧ୍ୟମର ସୂଚନାରୁଜଣାପଡିଥିଲା କି ଯେତେବେଳେ ବିଏମସି କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିଥିଲା ସେତେବେଳେ ଭାଜପା ଏହାର ବିରୋଧ କରିଥିଲା ଏମିତିକି ରାଜ୍ୟପାଳ କୋଶୟାରି ମଧ୍ୟ ଏହା ଠିକ ନୁହେଁ ବୋଲି କହିଥିଲେ ।  ଏହାପରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାବଲେ ରାଜ୍ୟପାଳଙ୍କୁ ଭେଟି କଙ୍ଗନାଙ୍କୁ କ୍ଷତିପୁରାଣ ଦେବାକୁ ମଧ୍ୟ ଦାବି କରିଥିଲେ।

Share