ଛୋଟ ଘଟଣା ଯୋଗୁ ୫ ବର୍ଷର ପୁଅଙ୍କୁ ହରାଇଥିଲେ ଏହି ଲୋକପ୍ରିୟ ଅଭିନେତା, ପରେ ବଦଳି ଯାଇଥିଲା ଜୀବନ

ବମ୍ବେ: ପ୍ରକାଶ ରାଜ୍‌। ଦକ୍ଷିଣ ଭାରତୀୟ ସିନେମାର ଜଣେ ପରିଚିତ ନାମ। ଆଜି ଅର୍ଥାତ୍‌ ମାର୍ଚ୍ଚ ୨୬ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ୧୯୬୫ରେ ବାଙ୍ଗାଲୋରରେ ଜନ୍ମ ନେଇଥିଲେ ପ୍ରକାଶ। ଏବେ ୫୬ ବର୍ଷର ହୋଇଛନ୍ତି ଅଭିନେତା। କେବଳ ଅଭିନେତା ନୁହେଁ, ବରଂ ଜଣେ ନିର୍ଦ୍ଦେଶକ, ପ୍ରଯୋଜକ ଭାବେ ସେ ଅର୍ଜନ କରିଛନ୍ତି ଖ୍ୟାତି। ତାମିଲ ସିନେମାରେ ତାଙ୍କର ଅଭିନୟ ଦର୍ଶକଙ୍କ ହୃଦୟ ଜିଣିଥାଏ।

ତାମିଲ ନିର୍ଦ୍ଦେଶକ କେ. ବାଲାଚନ୍ଦରଙ୍କ ପରାମର୍ଶକ୍ରମେ ନିଜର ସାଜ୍ଞା ବଦଳାଇ ରାଜ୍‌ ରଖିଥିଲେ ସେ। ଏଯାବତ ସେ ନିଜର ଅଭିନୟ ପାଇଁ ପାଞ୍ଚଟି ଜାତୀୟ ପୁରସ୍କାର ଜିତିଥିବା ବେଳେ ଛଅଟି ନନ୍ଦି ପୁରସ୍କାର, ଆଠ ତାମିଲନାଡ଼ୁ ରାଷ୍ଟ୍ରୀୟ ପୁରସ୍କାର ଏବଂ ପାଞ୍ଚ ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି।

ବ୍ୟକ୍ତିଗତ ଜୀବନ ଦେଖିଲେ ପ୍ରକାଶ ରାଜ୍‌ ୧୯୯୪ରେ ଅଭିନେତ୍ରୀ ଲଲିତା କୁମାରୀଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କ ତିନୋଟି ସନ୍ତାନ(ଦୁଇ ଝିଅ ମେଘନା ଓ ପୂଜା, ପୁଅ ସିଦ୍ଧୁ) ହୋଇଥିଲା। ହେଲେ ୫ ବର୍ଷ ବୟସରେ ପୁଅଙ୍କ ମୃତ୍ୟୁକୁ ପ୍ରକାଶ ଗ୍ରହଣ କରିପାରି ନ ଥିଲେ। ସେତେବେଳେ ଜୀବନ କେତେ ଛୋଟ ସେ ଅନୁଭବ କରିଥିଲେ। ପ୍ରକାଶ ନିଜର କ୍ଷେତରେ ପୁଅଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏବେ ବି ସେ ସେଠାକୁ ଯାଇ ବସନ୍ତି। ଝିଅମାନଙ୍କୁ ସେ ବହୁତ ଭଲପାଉଥିଲେ ହେଁ ପୁଅକୁ ଭୁଲି ପାରିନାହାନ୍ତି ବୋଲି କୁହନ୍ତି।

ଗଛ ଉପରେ ଚଢ଼ି ଗୁଡ଼ି ଉଡାଉଥିବା ବେଳେ ହଠାତ୍‌ ଖସି ପଡ଼ିଥିଲେ ପ୍ରକାଶଙ୍କ ପୁଅ। କିଛି ମାସ ପରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରେ ଲାଗିଥିଲା। ଶେଷରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଏହା ଏକ ରହସ୍ୟ ଭଳି ଥିଲା। ପୁଅଙ୍କ ମୃତ୍ୟୁ ପରେ ପ୍ରକାଶଙ୍କ ଜୀବନ ବଦଳିଯାଇଥିଲା। ପ୍ରଥମ ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ ସେମାନେ ଅଲଗା ହୋଇଥିଲେ। ପରେ ୨୦୧୦ରେ ସେ ବଲିଉଡ୍‌ କୋରିଓଗ୍ରାଫର ପୋନି ବର୍ମାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏବେ ଉଭୟଙ୍କ ଜଣେ ପୁଅ ବେଦାନ୍ତ ଅଛି।

Share