ତେଜିଲା ଅଭିନେତା ମନୋଜ ମିଶ୍ର ବ୍ୟାନ୍‌ ବିବାଦ: ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା

ବଲାଙ୍ଗୀର, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଅଭିନେତା ମନୋଜ ମିଶ୍ରଙ୍କୁ ଚଳଚ୍ଚିତ୍ର ପ୍ରୟୋଜକ ସଂଘର ଦୁଇବର୍ଷିଆ ବ୍ୟାନ୍‌ ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ତେଜିବାରେ ଲାଗିଛି। ପଶ୍ଚିମ ଓଡ଼ିଶାର କେତେକ ଶୀର୍ଷ ରାଜନେତାଙ୍କ ବୟାନବାଜି ପରେ କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖ କୋଶଲ ମହାବନ୍ଦ ଡାକରା ଦିଆଯାଇଛି। ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଲାଞ୍ଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲା ସମେତ ଅନୁଗୋଳ ଜିଲା ଆଠମଲ୍ଲିକ ସବ୍‌ଡିଭିଜନ୍‌ରେ ଆସନ୍ତା ୧୫ ନଭେମ୍ବରରେ ସମସ୍ତ ସରକାରୀ, ବେସରକାରୀ ଅଫିସ, ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

ସ୍ଥାନୀୟ ସାମ୍ବାଦିକ ଭବନରେ କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଖବରଦାତା ସମ୍ମିଳନୀ ଡକାଯାଇଥିଲା। ଏଥିରେ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇବର୍ଷିଆ ବ୍ୟାନ୍‌ ଘୋଷଣାକୁ ନିନ୍ଦା କରାଯାଇଥିଲା। ଏଭଳି ନିଷ୍ପତ୍ତି ଉପକୂଳ ଅଞ୍ଚଳର ପଶ୍ଚିମ ଓଡ଼ିଶା ବିରୋଧୀ ମନୋଭାବକୁ ପ୍ରଦର୍ଶିତ କରୁଛି ବୋଲି କୁହାଯାଇଥିଲା। ମନୋଜଙ୍କ ବ୍ୟାନ ପ୍ରସଙ୍ଗରେ ମୁହଁ ଖୋଲିଥିବା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କୁ ଖବରଦାତା ସମ୍ମିଳନୀରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଖବରଦାତା ସମ୍ମିଳନୀରେ କୋଶଲ ରାଏଜ୍‌ ମୁକ୍ତିମୋର୍ଚ୍ଚା ଆବାହକ ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ସୁଶୀଲ କୁମାର ଗୁରୁ, କୋଶଲ ସେନା ସଭାପତି କୌସ୍ତୁଭ ସାହୁ, ସମ୍ପାଦକ ବୀରବଳ ମହାକୁର, ଭିଲେଜର୍ସ ଇଣ୍ଡିଆ ପାର୍ଟି ସଭାପତି ଡ ବିପିନ କୁଶଲିଆ, କୋଶଲ୍‌ ରାଏଜ୍‌ ମୁକ୍ତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିପୁନ୍‌ ଖମାରୀ, ଟ୍ରେଡ୍‌ ୟୁନିଅନ୍‌ ନେତା ବିଭୁଦତ୍ତ ମିଶ୍ର ମଞ୍ଚାସୀନ ଥିଲେ। ଖବରଦାତା ସମ୍ମିଳନୀରେ କୋଶଲାଞ୍ଚଳ ପ୍ରତି ହେଉଥିବା ଅନ୍ୟାୟ, ପାତରଅନ୍ତର ଏବଂ ଆଞ୍ଚଳିକ ବୈଷମ୍ୟ ବିରୋଧରେ ସରକାରଙ୍କୁ ଦୋଷାରୋପ କରାଯାଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଲୟ, ଏମ୍‌ସ ହସ୍ପିଟାଲ, କଟନ୍‌ କରିଡର ପ୍ରତିଷ୍ଠା ଦାବିକୁ କିଭଳି ଅଣଦେଖା କରାଯାଇଛି କୁହାଯାଇଥିଲା।

Share