ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବର୍ଷ ୨୦୨୦ରେ ଅନେକ ଅଭିନେତାଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। କିଛି ମା’ବାପା ହେବାକୁ ଯାଉଥିବା ଖୁସିଖବର ମଧ୍ୟ ଦେଇଛନ୍ତି। ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଟେଲିଭିଜନଜଗତର ଅନ୍ୟତମ ହିଟ୍‌ ଯୋଡି ମୋହିତ ମଲିକ ଏବଂ ତାଙ୍କ ପତ୍ନୀ ଅଦିତି। ଆସନ୍ତା ବର୍ଷ ମେ’ ମାସରେ ମୋହିତ ବାପା ହେବେ। ଏକ ସାକ୍ଷାତକାରରେ ଅଭିନେତାଜଣଙ୍କ ପ୍ରଶଂସକଙ୍କ ସହ ନିଜ ଖୁସି ବାଣ୍ଟିଛନ୍ତି।

ଅଦିତିଙ୍କ ମୁହଁରୁ ପ୍ରଥମେ ଏହି ଖୁସିଖବର ଶୁଣିବା ପରେ ବିଶ୍ୱାସ କରିପାରି ନ ଥିଲେ ମୋହିତ। ଶୁଟିଂସେଟ୍‌ରେ ଥିବା ବେଳେ ହଠାତ ତାଙ୍କୁ ଫୋନ୍‌ କରି ଏହା ଜଣାଇଥିଲେ ଅଦିତି। ପ୍ରଥମେ ସେ କୋଭିଡ ଟେଷ୍ଟ ପଜିଟିଭ୍‌ ଆସିବା ଭାବିଥିଲେ। ହେଲେ ଅଦିତି ହସି ସେ ବାପା ହେବାକୁ ଯାଉଥିବା କହିଥିଲେ। ଦୁଇ ଦିନ ପର୍ଯ୍ୟନ୍ତ ସେ ଖୁସିରେ ବିଭୋର ହୋଇଯାଇଥିଲେ। ବାରମ୍ବାର ଏହା ସତ କି ନା ତାହା ଜାଣିବାକୁ ଚେଷ୍ଟା କରୁଥିଲେ।

ବିବାହର ଦଶ ବର୍ଷ ପୁରିଥିବା ବେଳେ ନିଜ ପ୍ରଥମ ସନ୍ତାନକୁ ନେଇ ବେଶ୍‌ ଖୁସି ଅଛନ୍ତି ମୋହିତ-ଅଦିତି। ସୋସିଆଲ ମିଡିଆରେ ଉଭୟଙ୍କ ସ୍ବତନ୍ତ୍ର ପୋଷ୍ଟରୁ ତାହା ଜାଣି ହେଉଛି। ମୋହିତ ଅଦିତିଙ୍କ ପେଟରେ ହାତ ରଖିଥିବା ଏକ ଫଟୋ ଶେୟାର କରି ମନକଥା କହିଛନ୍ତି। ତୁମ ଉପରେ ଯେତେଥର ହାତ ରଖୁଛି, ମୁଁ ଧନ୍ୟବାଦ କହୁଛି। ଆମକୁ ପିତାମାତା ରୂପେ ବାଛିଥିବାରୁ ଧନ୍ୟବାଦ। ଏହି ଅନୁଭବ ବହୁତ ଖାସ୍‌। ଏଥିପାଇଁ ଧନ୍ୟବାଦ ଭଗବାନ ବୋଲି ମୋହିତ ଲେଖିଛନ୍ତି।

Share