ଫୁଟପାଥରେ ଚାଲୁଥିବା ଦମ୍ପତିଙ୍କ ଉପରେ କାର୍‌ ଚଢ଼ାଇଦେଲେ ଅଭିନେତା, ମହିଳାଙ୍କ ମୃତ୍ୟୁ

ଦକ୍ଷିଣ ଭାରତୀୟ ସିନେମାର ଅଭିନେତା ନାଗାଭୂଷଣ ବାଙ୍ଗାଲୋରରେ ଫୁଟପାଥରେ ଚାଲୁଥିବା ଏକ ଦମ୍ପତିଙ୍କ ଉପରେ କାର୍‌ ଚଢ଼ାଇବାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ଦୁର୍ଘଟଣାରେ ମହିଳାଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପାର୍ଟନର ଜୀବନମରଣ ସହ ସଂଘର୍ଷ କରୁଛନ୍ତି। ଘଟଣାକୁ ନେଇ କୁମାରସ୍ବାମୀ ଟ୍ରାଫିକ ପୋଲିସ ଷ୍ଟେଶନରେ ଅଭିଯୋଗ ପରେ ପୋଲିସ ଦ୍ରୁତ ଗତି ଏବଂ ଖାମଖିଆଲି ଗାଡ଼ିଚାଳନାର ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ନାଗାଭୂଷଣ ଶନିବାର ରାତିରେ ବସନ୍ତପୁରା ରାସ୍ତାରେ କାର୍‌ ଚଳାଉଥିଲେ। ଏହି ସମୟରେ ସେ ଫୁଟ୍‌ପାଥରେ ଚାଲୁଥିବା ଉକ୍ତ ଦମ୍ପତିଙ୍କୁ କଥିତ ଭାବେ ଧକ୍କା ଦେଇଥିଲେ। ଏହାପରେ ଗାଡ଼ିଟି ଏକ ବିଜୁଳି ଖୁଣ୍ଟକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ପ୍ରେମା(୪୮)ଙ୍କ ମୃତ୍ୟୁ ଘଟିଥିବା ବେଳେ କୃଷ୍ଣା(୫୮)ଙ୍କ ମୁଣ୍ଡ, ପାଦରେ ଗମ୍ଭୀର ଆଘାତ ଲାଗିଛି।

ଅଭିନେତା ନିଜେ ଗାଡ଼ିରେ ଦୁହିଁଙ୍କୁ ଡାକ୍ତରଖାନା ନେଇ ଯାଇଥିବା କୁହାଯାଉଛି। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ଜୀବନ ବଞ୍ଚାଯାଇପାରିନାହିଁ।

Share