ଦୁର୍ଘଟଣାରେ ଓଲିଉଡ୍‌ର ଯୁବ ଅଭିନେତା ନିଶି କରଙ୍କ ପରଲୋକ

ଭୁବନେଶ୍ୱର: ଓଲିଉଡ୍‌ର ଯୁବ ଅଭିନେତା ତଥା ନିର୍ଦ୍ଦେଶକ ନିଶିରଞ୍ଜନ କରଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କୁ ୩୮ବର୍ଷ ବୟସ ହୋଇଥିଲା। ପୁରୀ ଜିଲା କାକଟପୁରର କାହାଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ନିଶିରଞ୍ଜନ ସାରେ କାକଟପୁର ନୂଆ ବସ୍‌ଷ୍ଟାଣ୍ଡରୁ ବାଇକ୍‌ ଯୋଗେ ନିଜ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଖୁଣ୍ଟରେ ପିଟି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ମେଡିକାଲ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୁରୀ ସ୍ବର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ନିଶି ଓଲିଉଡରେ ଜଣାଶୁଣା ଚେହେରା ଥିଲେ। ସେ ୨ଟି ଫିଲ୍ମ ଓ ୫୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ରେ ନିର୍ଦ୍ଦେଶନା ଦେବା ସହ ଗାୟତ୍ରୀ, ଉତ୍ତରଦାୟୀ, ବଡ଼ ଘର ବଡ଼ ଗୁମର କଥା, ଓଡ଼ିଆ ଚଳଚ୍ଚିତ୍ର ଭଲ ପାଏ ବୋଲି, ଜ୍ୟୋତ୍ସ୍ନା ଭିଜା ସେଇ ରାତି, ମନ ମୋର ଯାଯାବର, ଓମ୍‌ ସାଇ ରାମ୍‌ ଆଦି ବହୁ ଧାରାବାହିକରେ ଅଭିନୟ କରିଛନ୍ତି। ୨ଟି ଚଳଚ୍ଚିତ୍ର ‘ଆତ୍ମା କାନ୍ଦୁଛି’ ଓ ‘ଦୁହେଁ ଦୁହିଁଙ୍କ ପାଇଁ’ର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଅକାଳ ବିୟୋଗରେ ସିନେ ଜଗତର ଅପୂରଣୀୟ କ୍ଷତି ଘଟିଥିବା ସାଥୀ କଳାକାରମାନେ ପ୍ରକାଶ କରିଛନ୍ତି। ପୁଅକୁ ହରାଇ ବାପା ପରମାନନ୍ଦ କର, ମା’ ଶାନ୍ତିଲତା କର ଭାଙ୍ଗି ପଡିଥିବାବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Share