ନାଗିନ୍‌ ଫେମ୍‌ ଏହି ଲୋକପ୍ରିୟ ଅଭିନେତାଙ୍କୁ ବାନ୍ଧିଲା ପୋଲିସ: ନାବାଳିକାଙ୍କୁ ବଳାତ୍କାର କରିଥିବା ନେଇ…

ବମ୍ବେ: ଲୋକପ୍ରିୟ ଟେଲି ଅଭିନେତା କରନ୍‌ ମେହେରା ସ୍ତ୍ରୀଙ୍କୁ ମାରପିଟ୍‌ କରି ଗିରଫ ହେବା ନେଇ ଚର୍ଚ୍ଚା ଥମି ନ ଥିବା ବେଳେ ଆଉ ଜଣେ ଅଭିନେତାଙ୍କୁ ବାନ୍ଧିଛି ପୋଲିସ। ହେଲେ ଏଥର ମାମଲା ଅଧିକ ସଙ୍ଗୀନ ରହିଛି। ବଳାତ୍କାର ଅଭିଯୋଗରେ ନାଗିନ୍‌ ଫେମ୍‌ ଅଭିନେତା ପର୍ଲ ବି ପୁରୀଙ୍କୁ ବମ୍ବେ ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଗିରଫ କରିନେଇଛି। ଜଣେ ନାବାଳିକା ଓ ତାଙ୍କ ପରିବାର ପର୍ଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ତାଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଏହି ମାମଲାରେ ପୋଲିସ ମୋଟ ଛଅଜଣଙ୍କୁ ବାନ୍ଧି ସାରିଛି। ଏବେ ଅଭିନେତା ଜେଲରେ ଅଛନ୍ତି।

କହିରଖୁଛୁ, ଗତ ବର୍ଷ ଅକ୍ଟୋବରରେ ପର୍ଲ ବାପାଙ୍କୁ ହରାଇଥିଲେ। ଦିନ ଥିଲା ସେ ଜଣେ ଅଭିନେତା ହୁଅନ୍ତୁ ତାହା ବାପା ଚାହୁଁ ନ ଥିଲେ। ଫଳରେ ସେ ନିଜ ଘର ଛାଡ଼ି ଚାଲିଆସିଥିଲେ। ପ୍ରାରମ୍ଭିକ ଦିନଗୁଡ଼ିକରେ ତାଙ୍କ ପାଖରେ ଟଙ୍କା ନ ଥିଲା। ସେ ଖାଇବାକୁ ନ ପାଇବା ଯୋଗୁ ଦିନ ଦିନ ଉପବାସରେ ରହୁଥିଲେ।

୨୦୧୩ରେ ପର୍ଲ ଟେଲି ଧାରାବାହିକ ‘ଦିଲ କି ନଜର ସେ ଖୁବସୁରତ’ରେ ନିଜର ଡେବ୍ୟୁ କରିଥିଲେ। ହେଲେ ନାୟକ ଭାବେ ସେ ‘ଫିର ଭି ନା ମାନେ ବଦତମିଜ୍‌ ଦିଲ୍‌’ରେ କାମ କରିଥିଲେ। ପରେ ସେ ‘ନାଗାର୍ଜୁନ, ବେପନାହ ପ୍ୟାର, ନାଗିନ ୩, ବ୍ରହ୍ମରାକ୍ଷସ ୨’ ଭଳି ସୁପରହିଟ୍‌ ଧାରାବାହିକରେ କାମ କରିଛନ୍ତି। ଏହାଛଡ଼ା ଅନେକ ରିଆଲିଟି ଶୋ’ରେ ତାଙ୍କୁ ଅତିଥି ଏବଂ ପ୍ରତିଯୋଗୀ ଭାବେ ଦେଖାଯାଇଛି।

Share