କଞ୍ଚନାରେ କିନ୍ନର ଚରିତ୍ରରେ ନଜର ଆସିଥିବା ଏହି ଅଭିନେତା ଏକଦା ବାଣ୍ଟୁଥିଲେ ଖବରକାଗଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ ନଭେମ୍ବର ୯ରେ ଡିଜନି ହଟ୍‌ଷ୍ଟାରରେ ରିଲିଜ୍‌ ହେବ। ଏହି ଫିଲ୍ମରେ ପ୍ରଥମଥର ଅକ୍ଷୟ କିନ୍ନର ଚରିତ୍ରରେ ନଜର ଆସିବେ। ରିଲିଜ୍‌ ହେବା ପୂର୍ବରୁ ଅକ୍ଷୟଙ୍କ ଚରିତ୍ରକୁ ବେଶ୍‌ ପ୍ରଶଂସା କରାଯାଉଛି। କିନ୍ତୁ ଜାଣିଛନ୍ତି କି ଲକ୍ଷ୍ମୀ ହେଉଛି ତାମିଲ ଫିଲ୍ମ କଞ୍ଚନାର ରିମେକ। ଏହି ଅରିଜିନାଲ ଫିଲ୍ମରେ କିନ୍ନର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଜଣକ କିଏ ଜାଣିଛନ୍ତି କି? କଞ୍ଚନାରେ କିନ୍ନର ଭୂମିକାରେ ନଜର ଆସିଥିବା ଅଭିନେତା ଜଣକ ହେଉଛନ୍ତି ଶରତ କୁମାର। ତାଙ୍କର ପୁରା ନାମ ହେଉଛି ରାମାନାଥନ ଶରତ କୁମାର। ସେ ଅଭିନେତା ହେବା ସହ ଜଣେ ରାଜନେତା। ବର୍ତ୍ତମାନ ସେ ରାଜ୍ୟ ସଭା ଏମ୍‌ପି ଅଛନ୍ତି। କଞ୍ଚନାରେ ତାଙ୍କର ଅଭିନୀତ କିନ୍ନର ଚରିତ୍ର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ବେଶ୍‌ ପ୍ରଶଂସା ସାଉଁଟିଥିଲା।

କୁହାଯାଏ ସେ ୧୩୦ରୁ ଊର୍ଦ୍ଧ୍ୱ ତାମିଲ, ମଲୟାଲମ, ତେଲଗୁ ଓ କନ୍ନଡ ଫିଲ୍ମରେ କାମ କରିସାରିଛନ୍ତି। ୧୯୮୬ରେ ସେ ନିଜର ଅଭିନୟ କ୍ୟାରିୟର ତେଲଗୁ ଫିଲ୍ମ Samajamlo Sthreeରୁ ଆରମ୍ଭ କରିଥିଲେ। ପ୍ରାରମ୍ଭରୁ ସେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବା ବେଳେ ପରେ ସପୋର୍ଟିଂ ଚରିତ୍ରରେ ନଜର ଆସିଥିଲେ। ତାଙ୍କୁ ତାମିଲ ସିନେମାରେ ସୁପ୍ରିମ ଷ୍ଟାର ମଧ୍ୟ କୁହାଯାଏ। କେବଳ ସେତିକି ନୁହେଁ ଶରତ ଜଣେ ସ୍ପୋଟ୍ସପର୍ସନ ମଧ୍ୟ। ଫୁଟବଲ, କ୍ରିକେଟ ଓ ହକିରେ ସେ ବେଶ୍‌ ରୁଚି ରଖନ୍ତି। କୁହାଯାଏ ପାଠପଢ଼ା ସରିବା ପରେ ସେ ତାମିଲ ଖବରକାଗଜ ଦୀନାକରଣରେ କାମ କରୁଥିଲେ। ଏଥିସହ ସାଇକେଲରେ ବୁଲି ବୁଲି ଦୋକାନଗୁଡ଼ିକରେ ଖବରକାଗଜ ବାଣ୍ଟୁଥିଲେ। ପରେ ସେହି କମ୍ପାନୀ ପାଇଁ ସେ ରିପୋର୍ଟର ଭାବେ କାମ କରିଥିଲେ।

Share