ବଲିଉଡ୍ ଦେଶୀଗର୍ଲ ତଥା ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ୍ ଆମେରିକା ଉପରାଷ୍ଟ୍ରପତି କମଲା ହାରିସ୍ଙ୍କୁ ହ୍ବାଇଟ୍ହାଉସ୍ରେ ଭେଟି ତାଙ୍କ ସାକ୍ଷାତକାର ନେଇଛନ୍ତି। ପ୍ରିୟଙ୍କା ଡେମୋକ୍ରାଟିକ୍ ନ୍ୟାଶନାଲ କମିଟି ଓମେନ୍ସ ଲିଡରଶିପ୍ ଫୋରମ୍ କନଫରେନ୍ସରେ ହାରିସ୍ଙ୍କ ସହ ମହିଳା ଅଧିକାର ଓ ଏହା ସହ ଜଡ଼ିତ ସମସ୍ୟା ଉପରେ ଆଲୋଚନା କରିଥିଲେ। ନିଜ ୨୨ ବର୍ଷର କ୍ୟାରିୟରରେ ସେ ଚଳିତ ବର୍ଷ ପ୍ରଥମ କରି ତାଙ୍କ ବିପକ୍ଷରେ ଥିବା ପୁରୁଷ ଅଭିନେତାଙ୍କ ସହ ସମାନ ପାଉଣା ପାଇଥିବା ପ୍ରିୟଙ୍କା ଏହି ଅବସରରେ ପ୍ରକାଶ କରିଥିଲେ। ପୂର୍ବରୁ ମହିଳାଙ୍କ ଶକ୍ତି ସେମାନଙ୍କ ଦକ୍ଷତାକୁ ଅଣଦେଖା କରାଯାଉଥିଲା। ହେଲେ ଅନେକ ମହିଳାଙ୍କ ତ୍ୟାଗ ଓ ନିସ୍ବାର୍ଥପର କାର୍ଯ୍ୟ ଯୋଗୁ ଆଜି ମହିଳାମାନେ ଆଗଧାଡ଼ିକୁ ଆସିପାରିଛନ୍ତି ବୋଲି ସେ କହିଥିଲେ। ଆଲୋଚନା ବେଳର ଫଟୋ ଏବଂ ଭିଡିଓ ପ୍ରିୟଙ୍କା ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।