ମୁମ୍ବାଇ/ଲକ୍ଷ୍ନୌ,୨୦।୮: ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ମୁଭି ‘ଜେଲର’ର ସକସେସ ପରେ ଏବେ ଉତ୍ତର ପ୍ରଦେଶ ଗସ୍ତରେ ଅଛନ୍ତି। ଏହି ସମୟରେ ଥଲାଇଭା ଆକ୍ଟର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ତାଙ୍କ ଘରେ ସାକ୍ଷାତ୍ କରିଛନ୍ତି। ଏହାପରେ ସେ ଅଯୋଧ୍ୟା ଗସ୍ତ କରିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ରଜନୀକାନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଭେଟିଥିଲେ। ରଜନୀକାନ୍ତ ଅଖିଳେଶଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ କଥା ହୋଇଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ତାଙ୍କର ସାକ୍ଷାତକୁ ବହୁତ ଭଲ ବୋଲି ବର୍ଣ୍ଣନା କରିଥିଲେ ଏବଂ ରାମଲାଲାଙ୍କ ଦର୍ଶନ ପାଇଁ ବିଦାୟ ନେବାକୁ ମଧ୍ୟ ନିଶ୍ଚିତ କରିଥିଲେ।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ରଜନୀକାନ୍ତ କହିଛନ୍ତି- ‘ମୁଁ ଅଖିଳେଶ ଯାଦବଙ୍କୁ ୯ବର୍ଷ ପୂର୍ବେ ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ଭେଟିଥିଲି ଏବଂ ସେବେଠାରୁ ଆମେ ବନ୍ଧୁ, ଫୋନରେ କଥା ହେଉ। ୫ ବର୍ଷ ପୂର୍ବେ ଯେତେବେଳେ ମୁଁ ଶୁଟିଂ ପାଇଁ ଏଠାକୁ ଆସିଥିଲି କିନ୍ତୁ ମୁଁ ତାଙ୍କୁ ଭେଟି ପାରିଲି ନାହିଁ, ବର୍ତ୍ତମାନ ସେ ଏଠାରେ ଅଛନ୍ତି ସେଥିପାଇଁ ମୁଁ ତାଙ୍କୁ ଭେଟିଥିଲ। ଅନ୍ୟପକ୍ଷରେ, ରଜନୀକାନ୍ତ ମାୟାବତୀଙ୍କୁ ମଧ୍ୟ ଭେଟିବେ କି ନାହିଁ ପ୍ରଶ୍ନ ଉପରେ ଥାଲାଇଭା ଅଭିନେତା ମନା କରି ଦେଇଛନ୍ତି।