ଜାତିସଂଘ ସଂସ୍ଥାରୁ ରଣଦୀପ ବିଦା

ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କୁ କଟାକ୍ଷ କରିଥିବା ନେଇ ଏକ ପୁରୁଣା ଭିଡିଓ ଏବେ ସାମ୍ନାକୁ ଆସିଛି। ଏହା ଭାଇରାଲ ହେବା ପରେ ରଣଦୀପଙ୍କୁ ଜାତିସଂଘର ଏକ ପରିବେଶ ସମ୍ପର୍କିତ ଚୁକ୍ତି କନ୍‌ଭେନ୍‌ଶନ୍‌ ଫର୍‌ ଦି କନ୍‌ଜର୍ଭେଶନ୍‌ ଅଫ୍‌ ମାଇଗ୍ରେଟୋରି ସ୍ପାଇସେସ୍‌ ଅଫ୍‌ ଓ୍ବାଇଲ୍ଡ୍‌ ଆନିମଲ୍‌ସ (ସିଏମ୍‌ଏସ୍‌) ଆମ୍ବାସାଡର ପଦରୁ ହଟାଇଦିଆଯାଇଛି। ୨୦୧୨ରେ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ରଣଦୀପ ହୁଡା ଯୋଗଦେଇଥିଲେ। ସେଠାରେ ସେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ଜାତିଆଣ ଓ ଲିଙ୍ଗଗତ ମନ୍ତବ୍ୟ ଦେଇଥିଲେ। ନିକଟରେ ଉକ୍ତ ଦୃଶ୍ୟର ଭିଡିଓ ସାମ୍ନାକୁ ଆସିଥିଲା। ରଣଦୀପଙ୍କ ମନ୍ତବ୍ୟ ଅପମାନଜନକ ଏବଂ ଏଥିରୁ ମୂଲ୍ୟବୋଧ ପ୍ରତିଫଳିତ ହେଉନାହିଁ ବୋଲି ଜାତିସଂଘ ସିଏମ୍‌ଏସ୍‌ ସେକ୍ରେଟାରିଏଟ୍‌ ପକ୍ଷରୁ କୁହାଯାଇଛି। ୨୦୨୦ ଫେବୃୟାରୀରେ ରଣଦୀପଙ୍କୁ ମାଇଗ୍ରେଟୋରି ସ୍ପାଇସେସ୍‌ର ଜଣେ ସିଏମ୍‌ଏସ୍‌ ଆମ୍ବାସାଡର ରୂପେ ନିଯୁକ୍ତ କରାଯିବା ସମୟରେ ସଂସ୍ଥା ଉକ୍ତ ଭିଡିଓ ସମ୍ପର୍କରେ ଅବଗତ ନ ଥିଲା ବୋଲି ଏକ ବିବୃତିରେ କୁହାଯାଇଛି। ମଙ୍ଗଳବାର ଟୁଇଟରରେ ଦେଖାଯାଉଥିବା ଉକ୍ତ ଭିଡିଓକୁ ନେଇ ରଣଦୀପ କ୍ଷମା ମାଗନ୍ତୁ ବୋଲି ଦାବି ହୋଇଛି। ହ୍ୟାଶ୍‌ଟ୍ୟାଗ୍‌ ଆରେଷ୍ଟ ରଣଦୀପ ହୁଡା ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ କରିବାରେ ଲାଗିଛି। ତେବେ ରଣଦୀପଙ୍କ ପକ୍ଷରୁ ଏନେଇ କିଛି ପ୍ରତିକ୍ରିୟା ଆସିନାହିଁ।

Share