ବିଗ୍ ବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ପରଲୋକ

ମୁମ୍ବାଇ,୨ ।୯: ଅଭିନେତା ତଥା ବିଗ୍ ବସ୍ ୱିନର ସିଦ୍ଧାର୍ଥ ଶୁକ୍ଳାଙ୍କର ପରଲୋକ ହୋଇଛି । ଗୁରୁବାର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳାଇ ଦେଇଛି । ସୂଚନା ଅନୁଯାୟୀ, ସିଦ୍ଧାର୍ଥ ରାତିରେ କିଛି ଔଷଧ ଖାଇ ଶୋଇଥିବା ବେଳେ ସକାଳୁ ଉଠି ପାରି ନ ଥିଲେ । ପରେ ଡାକ୍ତର ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କହିଥିଲେ । ଟେଲିଭିଜନ ଦୁନିଆର ଜଣେ ନାଁ କରା କଳାକାର ସିଦ୍ଧାର୍ଥ ରିୟଲିଟି ଶୋ’ ବିଗ୍ ବସ୍ ୧୩ର ବିଜେତା ଥିଲେ । ଏହାସହ ସେ ‘ଖତରୋଁ କା ଖିଲାଡି’ର ସିଜିନ୍ ୭ ବି ଜିତିଥିଲେ । ଟେଲି ଧାରାବାହିକ ‘ବାଳିକା ବଧୂ’ ମାଧ୍ୟମରେ ସେ ଘରେ ଘରେ ପରିଚିତ ହୋଇଥିଲେ । ବଲିଉଡ୍‌ରେ ସେ ‘ହମ୍ପଟି ଶର୍ମା କି ଦୁହ୍ଲନିୟା’ରେ ଡେବ୍ୟୁ କରିଥିଲେ । ଶେହନାଜ ଗିଲଙ୍କ ସହ ତାଙ୍କ ଯୋଡିକୁ ଦର୍ଶକେ ବେଶ୍ ପସନ୍ଦ କରୁଥିଲେ । ଦୁହେଁ ନିକଟରେ ବିଗବସ୍ ଓଟିଟିରେ ନଜର ଆସିଥିଲେ । ଏହାସହ ସେ ‘ସାବଧାନ ଇଣ୍ଡିଆ’, ‘ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ’ ଶୋ’ର ହୋଷ୍ଟ ମଧ୍ୟ କରିଛନ୍ତି । ସିଦ୍ଧାର୍ଥଙ୍କ ଜନ୍ମ ୧୨ ଡିସେମ୍ବର ୧୯୮୦ରେ ମୁମ୍ବାଇର ଏକ ବ୍ରାହ୍ମଣ ପରିବାରରେ ହୋଇଥିଲା । ମଡଲିଂ ସମୟରେ ସେ ତାଙ୍କ ପିତାଙ୍କୁ ହରାଇଥିଲେ । ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା ସିଦ୍ଧାର୍ଥ ନିକଟରେ ଏକ ଛୋଟ ପିଲାକୁ କୋଳରେ ଧରି ଫଟୋଟିଏ ଶେୟାର କରିଥିଲେ । ଯାହା ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥିଲା । ମନୋରଞ୍ଜନ ଦୁନିଆର ପ୍ରଶଂସକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଏବେ ପର୍ଯ୍ୟନ୍ତ ଭୁଲି ନ ଥିବା ବେଳେ ଏବେ ସିଦ୍ଧାର୍ଥଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି ।

Share