ଏବେ ଗୋଟିଏ ନୁହେଁ, ଦୁଇ ପାଦରେ ଚାଲିବାର ସମୟ ଆସିଛି

ଆଜିକାଲି ସୋସିଆଲ ମିଡିଆରେ ବିହାରର ୧୦ ବର୍ଷୀୟା ଝିଅ ସୀମା ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ଗୋଡରେ ୧ କିମି ଚାଲି ଚାଲି ସେ ସ୍କୁଲ ଯିବା ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସହାୟତାର ସୁଅ ଛୁଟୁଛି। ଶିକ୍ଷା ପ୍ରତି ଆଗ୍ରହ ଥିବାରୁ ଲୋକମାନେ ସୀମାଙ୍କୁ ପ୍ରଶଂସା କରୁଛନ୍ତି। ଅଭିନେତା ସୋନୁ ସୁଦ ମଧ୍ୟ ତାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋନୁ ସୁଦ ଟୁଇଟ୍‌ କରି ଲେଖିଛନ୍ତି, ‘ ଏବେ ସେ ଗୋଟିଏ ନୁହେଁ, ଦୁଇଟି ପାଦରେ ସ୍କୁଲକୁ ଡେଇଁଯିବେ। ଟିକେଟ ପଠାଉଛି, ଦୁଇ ପାଦରେ ଚାଲିବାର ସମୟ ଆସିଛି।
ସୀମା ଫତେହପୁର ଗ୍ରାମର ଏକ ସରକାରୀ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢନ୍ତି। ତାଙ୍କ ମାତାପିତା ଶ୍ରମିକ ଭାବେ କାର୍ଯ୍ୟ କରନ୍ତି। ପିତା ଅନ୍ୟ ଏକ ସହରରେ ରହି କାମ କରନ୍ତି। ପାଞ୍ଚ ଭାଇ ଭଉଣୀଙ୍କ ମଧ୍ୟରୁ ଅନ୍ୟତମ ସୀମା କାହା ଉପରେ ନିର୍ଭର କରିବାକୁ ପସନ୍ଦ କରନ୍ତି ନାହିଁ। ଗୋଟିଏ ଗୋଡ ଥିବା ସତ୍ତ୍ୱେ ସେ ପାଠ ପଢି ଶିକ୍ଷକ ହେବାକୁ ସ୍ବପ୍ନ ଦେଖିଛନ୍ତି। ଦୁଇବର୍ଷ ପୂର୍ବେ ସୀମା ଗ୍ରାମରେ ଏକ ଟ୍ରାକ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କୁ ଗୋଟିଏ ଗୋଡ ହରାଇବାକୁ ପଡିଥିଲା।

Share