ନୂଆଦିଲ୍ଲୀ,୨୦।୯: ବାସଭବନ ଓ କାର୍ଯ୍ୟାଳୟରେ ଆଇଟି ଚଢ଼ାଉ ପରେ ଟିକସ ଠକେଇ ଓ ବେଆଇନ ଫଣ୍ଡିଂ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ। ଏହି ଚଢ଼ାଉ ପୂର୍ବରୁ ତାଙ୍କୁ ଦୁଇ ଦୁଇ ଥର ରାଜ୍ୟ ସଭା ପ୍ରସ୍ତାବ ଆସିଥିଲା। କିନ୍ତୁ ରାଜନୀତିରେ ଯୋଗଦେବାକୁ ବର୍ତ୍ତମାନ ପ୍ରସ୍ତୁତ ନ ଥିବା ଦର୍ଶାଇ ଦୁଇ ଦଳକୁ ମନା କରିଦେଇଥିଲେ ବୋଲି ଏକ ସାକ୍ଷାତ୍କାରରେ ସୋନୁ କହିଛନ୍ତି।
”ମୋତେ ଦୁଇ ଥର ଭିନ୍ନ ଭିନ୍ନ ଦଳ ପକ୍ଷରୁ ରାଜ୍ୟ ସଭା ପ୍ରସ୍ତାବ ଆସିଥିଲା। କିନ୍ତୁ ମାନସିକ ସ୍ତରରେ ପ୍ରସ୍ତୁତ ନ ଥିବାରୁ ମନା କରି ଦେଇଥିଲି। ବର୍ତ୍ତମାନ ମୁଁ ଖୁସି ଅଛି। ମୁଁ ଯେତେବେଳେ ପ୍ରସ୍ତୁତ ହେବି ଚିତ୍କାର କରି ପ୍ରସ୍ତୁତ ଥିବା ଘୋଷଣା କରିବି। ମାତ୍ର ଏବେ ମୁଁ ଚାରିଟି ଜାରି ରଖିବି। ମୁଁ ବନ୍ଦ କରିବା ପାଇଁ ଏହା ଆରମ୍ଭ କରି ନ ଥିଲି। ଏହା କେବଳ ଆରମ୍ଭ ମାତ୍ର“ ବୋଲି ବଲିଉଡ୍ ଅଭିନେତା କହିଛନ୍ତି।
ଉଲ୍ଲେଖଯୋଗ୍ୟ, କୋଭିଡ୍ ସଙ୍କଟ ସମୟରେ ବହୁ ଲୋକ କଲ୍ୟାଣ କାର୍ଯ୍ୟ କରିଥିବା ୪୮ ବର୍ଷୀୟ ଅଭିନେତାଙ୍କ ବିରୋଧରେ ୨୦ କୋଟି ଟଙ୍କା ଟିକସ୍ ଫାଙ୍କିଥିବା ଆଇଟି ବିଭାଗ ପକ୍ଷରୁ କୁହାଯାଇଥିଲା। ଅଭିନେତାଙ୍କ ଚାରିଟି ଫାଉଣ୍ଡେଶନରେ ଗତ ବର୍ଷ ଜୁଲାଇରେ ୧୮ କୋଟି ଟଙ୍କା ଦାନ ଗ୍ରହଣ କରିଥିଲା। କିନ୍ତୁ ଏପର୍ଯ୍ୟନ୍ତ ରିଲିଫ୍ କାର୍ଯ୍ୟରେ କେବଳ ୧.୯ କୋଟି ଟଙ୍କା ଖର୍ଚ୍ଚ କରିଛି।
ଟିକସ୍ ଫାଙ୍କି ଅଭିଯୋଗ ସମ୍ପର୍କରେ ସୋନୁ କହିଛନ୍ତି, ଆମେ ଯାହା ସଂଗ୍ରହ କରିଥିଲୁ ସେଥିରେ କେବଳ ଦାନରେ ଆସିଥିବା ଟଙ୍କା ଥିଲା, ତାହା ନୁହେଁ। କିଛି ବ୍ରାଣ୍ଡର ଏଣ୍ଡୋର୍ସମେଣ୍ଟରୁ ଆସିଥିବା ମୋ ପାରିଶ୍ରମିକ ମଧ୍ୟ ସେଥିରେ ଥିଲା। ମୁଁ ସେହି ଅର୍ଥକୁ ଚାରିଟିକୁ ଦାନ କରିଥିଲି, ଯଦ୍ଦ୍ବାରା କାହା ଜୀବନ ବଞ୍ଚିପାରିବ। ମୋତେ ୫୪ ହଜାର ଇମେଲ, ହଜାର ହଜାର ହ୍ବାଟ୍ସଆପ୍, ଫେସବୁକ ଓ ଟୁଇଟରରେ ମେସେଜ ଆସିଛି। ନହେଲେ ୧୮ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ୧୮ ଘଣ୍ଟା ଲାଗି ନ ଥାନ୍ତା। କିନ୍ତୁ ଦାନ ଆକାରରେ ଆସିଥିବା ଟଙ୍କାକୁ ସଠିକ୍ ଉପାୟରେ ଖର୍ଚ୍ଚ କରାଯିବ। ଆଉ ଚଢ଼ାଉବେଳେ ଆଇଟି ଅଧିକାରୀମାନେ ଯେଉଁ ସବୁ ତଥ୍ୟ ମାଗିଲେ, ତାହା ଦେଇଥିଲୁ। ଯାହା ପଚାରିଲେ, ଆମ ତଥ୍ୟ ସହ ସେମାନଙ୍କ ଆଗରେ ଉତ୍ତର ରଖିଥିଲୁ।