ଟ୍ୟାକ୍ସ ଚୋରି ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ, କହିଲେ..

ରିଲ୍‌ରୁ ରିଅଲ ହିରୋ ସାଜିଥିବା ସୋନୁ ସୁଦ ନିକଟରେ ଆୟକର ରାଡାର୍‌ରେ ଆସିଥିଲେ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି ଅଭିଯୋଗ ପରେ ସୋନୁ ସୁଦ ଆଜି ପ୍ରଥମ ପୋଷ୍ଟ କରିଛନ୍ତି। ସୋନୁ ସୁଦ କହିଛନ୍ତି, ତୁମେ ସବୁବେଳେ ନିଜ ପକ୍ଷରୁ ସତ୍ୟ କହିବା ଆବଶ୍ୟକ ପଡେ ନାହିଁ। ସମୟ ସବୁକିଛି କହିଥାଏ। ମୁଁ ଦେଶର ଲୋକମାନଙ୍କୁ ସମସ୍ତ ଆନ୍ତରିକତାର ସହ ସାହାଯ୍ୟ କରୁଛି। ମୋର ଫାଉଣ୍ଡେଶନ୍‌ ସର୍ବଦା ଜୀବନ ବଞ୍ଚାଇବାକୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟେ। ମୁଁ ଗତ ଚାରି ଦିନ ଧରି ଟିକେ ବ୍ୟସ୍ତ ଥିଲି ତେଣୁ ଆପଣଙ୍କୁ ଲୋକଙ୍କୁ ସାହାଯ୍ୟ କରି ପାରି ନାହିଁ। ବର୍ତ୍ତମାନ ମୁଁ ତୁମକୁ ସାହାଯ୍ୟ କରିବାକୁ ଆସିଛି। ତେବେ ସେ ଆହୁରି ମଧ୍ୟ ଲେଖିଛନ୍ତି, ଭଲ କଲେ, ଭଲ ହେବ, ଶେଷ ଫଳାଫଳ ବି ଭଲ ହେବ। ମୋ ଯାତ୍ରା ଯାତ୍ରା ସର୍ବଦା ଜାରି ରହିବ ବୋଲି ସେ କହିଛନ୍ତି।
ଲଗାତର ତିନି ଦିନ ହେବ ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ଘରେ ଆଇଟି ପକ୍ଷରୁ ସର୍ଭେ ଚାଲିଛି। କେନ୍ଦ୍ରୀୟ ଟିକସ ବୋର୍ଡ(ସିବିଡିଟି) କହିଛି ଯେ, ଅଭିନେତା ସୋନୁ ସୁଦ ଏବଂ ତାଙ୍କ ସହଯୋଗୀଙ୍କ ଘରେ ସର୍ଚ୍ଚ ପରେ ଟିକସ ଫାଙ୍କିବା ସହ ଜଡିତ କିଛି ପ୍ରମାଣ ପତ୍ର ମିଳିଛି। ଅଭିନେତା ଅନେକ ଫେକ ସଂସ୍ଥାଗୁଡିକ ଠାରୁ ନକଲି ଏବଂ ଅସୁରକ୍ଷିତ ଋଣ ରୂପେ ଅନେକ ଟଙ୍କା ଜମା କରିଥିଲେ । ଏନେଇ ଯାଞ୍ଚ ଚାଲିଛି ବୋଲି ସିବିଡିଟି କହିଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଅନୁଦାନ ଆଇନ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଉଲ୍ଲଂଘନ କରିଛନ୍ତି ସୋନୁ ସୁଦ। ଲାଭରହିତ ସଂସ୍ଥାନ ‘ସୁଦ ଚାରିଟି ଫାଉଣ୍ଡେସନ’ ମଧ୍ୟ ଗୋଟାଏ ‘କ୍ରାଉଡ୍ଫଣ୍ଡିଙ୍ଗ ପ୍ଲାଟଫର୍ମ’ ଜରିଆରେ ବିଦେଶୀ ଋଣଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗା କରିଛି। ଏହାସହ ସୋନୁଙ୍କ ଠାରୁ ନଗଦ ୧.୮ କୋଟି ଟଙ୍କା ଜବତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହାବାଦ ସୋନୁ ସୁଦ ଚାରିଟି ଫାଉଣ୍ଡେସନ ୧୮.୯୪ କୋଟି ଟଙ୍କା ଡୋନେସନ ପାଇଛି । ଯେଉଁଥିରୁ ବିଭିନ୍ନ କାର୍ଯ୍ୟ ପାଇଁ ୧.୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବଳକା ୧୭ କୋଟି ଟଙ୍କା ଏଯାଏଁ ଆକାଉଣ୍ଟରେ ରହିଛି। ସେହିଭଳି ଲକ୍ଷ୍ନୌର ଏକ ଇନଫ୍ରାଷ୍ଟ୍ରକଚର ଗ୍ରୁପ ଯିଏ ସୋନୁ ସୁଦଙ୍କ ସହ ଯୋଡି ହୋଇ ରହିଛି ସେଠାରେ ତଲାସୀ ପରେ ୬୫ କୋଟି ଟଙ୍କାର ନେଣଦେଣରେ ଆୟକର ହେରଫେର ହୋଇଥିବା କୁହାଯାଉଛି । ଜୟପୁର ସ୍ଥିତ ଏକ ଇନ୍ଫ୍ରା ଫାର୍ମ ସହ ୧୭୫ କୋଟି ଟଙ୍କାର ସର୍କୁଲାର ନେଣଦେଣ କରାଯାଇଥିବା ଆୟକର ଦାବି କରିଛି।

Share