ଅଭିନେତା ତାରକ ରତ୍ନଙ୍କ ଅକାଳ ବିୟୋଗ

ନୂଆଦିଲ୍ଲୀ,୨୦।୨ : ଏନ୍‌.ଟି. ରାମାରାଓଙ୍କ ନାତି ତଥା ଅଭିନେତାରୁ ରାଜନେତା ହୋଇଥିବା ନନ୍ଦମୁରୀ ତାରକ ରତ୍ନଙ୍କର ଶନିବାର ଅକାଳ ବିୟୋଗ ହୋଇଛି। ତାଙ୍କୁ ୩୯ ବର୍ଷ ହୋଇଥିଲା। ତାଙ୍କ ପରଲୋକ ଟଲିଉଡ୍‌ ସେଲିବ୍ରିଟି ଓ ରାଜନେତାମାନଙ୍କୁ ସ୍ତବ୍ଧ କରିଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନମୋହନ ରେଡ୍ଡୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରାବାବୁ ନାଇଡୁ, କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ ଡ. ସୁଧାକର କେ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି। ସେହିପରି ଅଲ୍ଲୁ ଅର୍ଜୁନ, ଚିରଞ୍ଜୀବୀ ପ୍ରମୁଖ ଅଭିନେତା ମଧ୍ୟ ତାରକଙ୍କ ପରଲୋକରେ ଶୋକପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଗତ ମାସ ୨୭ରେ ହୃଦ୍‌ଘାତ ହେବାରୁ ତାରକ ରତ୍ନଙ୍କୁ ବେଙ୍ଗାଲୁରୁର ନାରାୟଣ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଆକ୍‌ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। ଶନିବାର ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ପ୍ରତିଷ୍ଠାତା ଏନ୍‌ଟି ରାମାରାଓଙ୍କ ନାତି ତାରକ ରତ୍ନ ୨୦୦୨ରେ ‘ଓକାଟୋ ନମ୍ବର କୁରାଡୁ’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେବେଠାରୁ ସେ ବିଭିନ୍ନ ତେଲୁଗୁ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଆସୁଥିଲେ। ଗତବର୍ଷ ସେ ଓଟିଟିରେ ଡେବ୍ୟୁ କରିଥିଲେ। ଜାନୁୟାରୀ ୨୭ରେ ଟିଡିପିର ଏକ ପଦଯାତ୍ରା ଶୁଭାରମ୍ଭରେ ଯୋଗଦେଇଥିବାବେଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା।

Share