ଫଶିଲେ ଐଶ୍ୱର୍ଯ୍ୟା

ମୁମ୍ବାଇ,୨୦।୧୨: ବହୁ ଚର୍ଚ୍ଚିତ ପାନାମା ପେପର ଲିକ ମାମଲାରେ ବଚ୍ଚନ ପରିବାରର ବୋହୂ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସୋମବାର ଦିଲ୍ଲୀର ଲୋକନାୟକ ଭବନରେ ଇଡିରେ ହାଜର ହେବେ। ଇଡି ତାଙ୍କୁ ପଚରାଉଚରା ପାଇଁ ଡାକିଛି। ଦୀର୍ଘ ଦିନ ଧରି ପାନାମା ପେପର ମାମଲାର ତଦନ୍ତ ଚାଲିଛି। ଏହି ମାମଲାରେ ତାଙ୍କ ଶ୍ୱଶୂରଙ୍କୁ ମଧ୍ୟ ପ୍ରଶ୍ନ କରାଯାଇଛି। ସୂଚନାନୁସାରେ, ଇଡି ଐଶ୍ୱର୍ଯ୍ୟାଙ୍କୁ ପଚାରିବା ପାଇଁ ଇଡି ଅଧିକାରୀମାନେ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଯଦିଓ ଏହା ପୂର୍ବରୁ ଐଶ୍ୱର୍ଯ୍ୟା ଏହି ଦଲିଲଗୁଡ଼ିକୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଏହି ଡକ୍ୟୁମେଣ୍ଟଗୁଡିକରେ ଚଳଚ୍ଚିତ୍ର ତାରକା ଏବଂ ଶିଳ୍ପପତିଙ୍କ ସମେତ ୫୦୦ ଭାରତୀୟଙ୍କ ନାମ ସାମିଲ ରହିଛି।
ସୂଚନାଯୋଗ୍ୟ, ପାନାମା ପେପର୍ସ ଲିକ ମାମଲାରେ ଏକ କମ୍ପାନୀର ଆଇନଗତ ଡକ୍ୟୁମେଣ୍ଟ (ମୋସାକ ଫୋନ୍ସେକା) ଲିକ ହୋଇଥିଲା। ଏହି ଲିକ ଘଟଣା ପରେ ଅନେକ ଭାରତୀୟଙ୍କ ବିଦେଶୀ ବ୍ୟାଙ୍କରେ ଆକାଉଣ୍ଟ ଥିବା କଥା ସାମ୍ନାକୁ ଆସିଥିଲା। ଏଥିରେ କିଛି ରାଜନେତାଙ୍କ ସମେତ ବଡ ବଡ ଫିଲ୍ମ ଷ୍ଟାରଙ୍କ ନାଁ ମଧ୍ୟ ସାମିଲ ଥିଲା। ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ଅଜୟ ଦେବଗନଙ୍କ ନାମ ମଧ୍ୟ ଏଥିରେ ସାମିଲ ଥିବା ନେଇ ଖୁଲାସା ହୋଇଥିଲା।

Share